ମାଧପୁର ପଞ୍ଚାୟତରେ ମହାଘୋଟଲା, ତଦନ୍ତ ପାଇଁ ଘଟଣାସ୍ଥଳରେ ପହଞ୍ଚିଲେ ଜିଲ୍ଲା ଉନ୍ନୟନ ଅଧିକାରୀ

0

ଆଠମଲ୍ଲିକ: ଆଠମଲ୍ଲିକ ବ୍ଲକ ମାଧପୁର ପଞ୍ଚାୟତରେ ମନରେଗା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମୋ ବଗିଚା, କମ୍ପୋଷ୍ଟ ପିଟ, ମୋ ପୋଖରୀ ଓ ରାସ୍ତା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁବାର ଜିଲ୍ଲା ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଲଳିତ ମୋହନ ବେହେରା ମାଧପୁର ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ସରଜମିନ ତଦନ୍ତ କରିଛନ୍ତି। ନୂଆଗାଁର କୈଳାଶ ମହାକୁଡ଼ କହିଛନ୍ତି, ପଞ୍ଚାୟତ ନିର୍ବାହୀ ଅଧିକାରୀ ତିଲକରାଜ ବେହେରା ତାଙ୍କଠାରୁ ପ୍ରଧାନମନ୍ତ୍ରୀ ଆବାସ ଗୃହ କରାଇଦେବା ପାଇଁ ୫ ହଜାର ଟଙ୍କା ଓ ଅନ୍ୟ ୬ ଜଣଙ୍କ ପାଇଁ ୫ ହଜାର ଲେଖାଏଁ ମୋଟ୍ ୩୫ ହଜାର ଟଙ୍କା ନେଇଛନ୍ତି। କିନ୍ତୁ ୨ ବର୍ଷ ହେଲା ଟଙ୍କା ନେଇଥିଲେ ବି ଏ ଯାଏଁ ଘର ହୋଇନାହିଁ। ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ବେହେରା ମଧ୍ୟ ଟଙ୍କା ନେବା କଥାକୁ ସ୍ୱୀକାର କରିଥିବା ବେଳେ ଏହି ଟଙ୍କା ସେ ଧାରସୂତ୍ରରେ ନେଇଥିବା କହିଥିଲେ।

ସେହିଭଳି ତିତିରିକଟା, କୁନ୍ଦନାଳୀ ଓ ଡିଗପଦରର କମ୍ୟୁନିଟି ପର୍ସନ (ସିଆରପି) ବିଷ୍ଣୁପ୍ରିୟା ପ୍ରଧାନ, ଆରତୀ ହୋତା ଓ ଆରତୀ ପ୍ରଧାନ ଦୀର୍ଘ ଦେଢ଼ବର୍ଷରୁ ଊର୍ଦ୍ଧ୍ଵ ସମୟ ହେଲା ୫୦ ଟି ଲେଖାଏଁ କମ୍ପୋଷ୍ଟ ପିଟ କାର୍ଯ୍ୟ କରିଥିଲେ ମଧ୍ୟ ପଞ୍ଚାୟତ ନିର୍ବାହୀ ଅଧିକାରୀ ସେମାନଙ୍କୁ ପ୍ରାପ୍ୟ ପ୍ରଦାନ କରିନଥିବା ଜିଲ୍ଲା ଉନ୍ନୟନ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ।
ପଞ୍ଚାୟତରୁ ତିତିରିକଟା ଅଙ୍ଗନବାଡି କେନ୍ଦ୍ରର ପାଚେରୀ କାର୍ଯ୍ୟ କରିଥିବା କାର୍ତ୍ତିକେଶ୍ୱର ପ୍ରଧାନଙ୍କୁ ମଧ୍ୟ ନିର୍ବାହୀ ଅଧିକାରୀ ଅର୍ଥ ପ୍ରଦାନ କରିନଥିବା ଅଭିଯୋଗ କରିଥିଲେ। ଏହାର ଅଭିଯୋଗ ପରେ ଉକ୍ତ ନିର୍ବାହୀ ଅଧିକାରୀଙ୍କୁ ଜିଲ୍ଲା ଉନ୍ନୟନ ଅଧିକାରୀ ଶ୍ରୀ ବେହେରା ଗୁରୁବାର ସନ୍ଧ୍ୟା ସୁଦ୍ଧା ଟଙ୍କା ପୈଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୋ ବଗିଚା ଟଙ୍କା ପ୍ରଦାନରେ ବ୍ୟାପକ ହେରଫେର ସମ୍ବନ୍ଧୀୟ ଅଭିଯୋଗ ହୋଇଥିବା ଜଣାଯାଇଛି। ମନରେଗା ଯୋଜନାରେ ହୋଇଥିବା ଗଦାଧରପୁରର ଭ୍ରମରବର ପ୍ରଧାନ ଓ ଶରଧାପୁରର ସୁରେଶ ଗହୀରଙ୍କ ପୁରୁଣା ପୋଖରୀକୁ ନୂତନ ଫାର୍ମପଣ୍ଡ (ମୋ ପୋଖରୀ) ଦର୍ଶାଇ ଟଙ୍କା ଉଠାଯାଇଥିବା ଅଭିଯୋଗ ହୋଇଛି।
ଅନ୍ୟପଟେ ପଞ୍ଚାୟତ କାର୍ଯ୍ୟାଳୟରେ ଅଭିଯୋଗର କାଗଜପତ୍ର ଯାଞ୍ଚ ସମୟରେ ସରପଞ୍ଚଙ୍କ ସ୍ୱାମୀ ଓ ବିଧାୟକ ସମର୍ଥକମାନଙ୍କ ଉପସ୍ଥିତି ସାଧାରଣରେ ନାପସନ୍ଦ କରାଯାଇଛି।

ସୂଚନାଯୋଗ୍ୟ, ମାଧପୁର ପଞ୍ଚାୟତର ମନରେଗା କାର୍ଯ୍ୟରେ ବ୍ୟାପକ ଅନିୟମିତତାକୁ ନେଇ ଗତ ବୁଧବାର ଲୋକପାଳ ବିଭୂତି ଭୂଷଣ ପଟ୍ଟନାୟକ ତଦନ୍ତ କରି ଫେରିଥିବା ଜଣାଯାଇଛି। ତାଙ୍କ ସହ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଲଳିତ ମୋହନ ବେହେରାଙ୍କ ସହ ଜିଲ୍ଲା ପରିଷଦର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ପଦ୍ମନାଭ ସାମନ୍ତରାୟ, ସହକାରୀ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ)ଅଙ୍କିତା ସାହୁ, ବ୍ଲକ ସହକାରୀ ନିର୍ବାହୀଯନ୍ତ୍ରୀ ରାମଚନ୍ଦ୍ର ଶତପଥୀ, କନିଷ୍ଠଯନ୍ତ୍ରୀ ଶକ୍ତିପ୍ରସାଦ ତ୍ରିପାଠୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ତିଲକରାଜ ବେହେରା ଓ ଗ୍ରାମ୍ୟ ରୋଜଗାର ସେବକ ଫିରୋଜ କୁମାର ପ୍ରଧାନ ଉପସ୍ଥିତ ଥିଲେ।

Leave A Reply

Your email address will not be published.

error: Content is protected !!