ଅନୁଗୁଳ: ଚାଷରେ ବାଧକ ସାଜିଛି ସାର। ଚାଷ ହିସାବରେ ସାର ଯୋଗାଇବାରେ ସରକାର ବିଫଳ। ଧାନର ସହାୟକ ମୂଲ୍ୟ ବଢ଼ିଥିବାରୁ ଲୋକଙ୍କର ଚାଷ ପ୍ରତି ଆଗ୍ରହ ବଢ଼ିଛି। ଏଭଳି ସ୍ଥିତିରେ ଚାଷ ଜମି ହିସାବରେ ମିଳୁନି ସାର। ଏଣୁ ସାର ଯୋଗାଇବା ଦାବିରେ ଅନୁଗୁଳ ବ୍ଲକ ବନ୍ତଳା ଅଞ୍ଚଳର ଚାଷୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ପୋକତୁଙ୍ଗା, ଖାଲଗାଁ, ବଡ଼କନ୍ତକୂଳ, ଗଡ଼ତରାସ, ଖିଣ୍ଡା, ବେଡ଼ା ଶାସନ, ଇଙ୍କରବନ୍ଧ, କୁମୁରସିଂହା ଆଦି ସମବାୟ ସମିତିରେ ସାର ମିଳୁନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ୟୁରିଆ ସାର ସରକାରୀ ଭାବେ ୨୬୬.୫୦ ଥିବା ବେଳେ ବଜାରରୁ ୫୦୦ ରୁ ୫୫୦ଟଙ୍କାରେ କିଣିବାକୁ ପଡୁଛି। ଫଳରେ ଚାଷୀ କ୍ଷତି ସହୁଛି। ତୁରନ୍ତ ସରକାର ସମବାୟ ସମିତି ମାଧ୍ୟମରେ ସାର ଯୋଗାଇ ଦେବାକୁ ଚାଷୀ ଧୀରେନ୍ଦ୍ର ସାହୁ, ବୁଲୁ ଅମାନ୍ତ, ଅମିୟ ସାହୁ, କ୍ଷୀରୋଦ ସାହୁ, ନରେନ୍ଦ୍ର ସାହୁ, ସୁଶାନ୍ତ କୁମାର ସାହୁ, ସଞ୍ଜୟ ସାହୁ, ବିନୋଦ ସାହୁ, ସରୋଜ ସାହୁ, ନିହାରକାନ୍ତ ସାହୁ, ବିବେକାନନ୍ଦ ପ୍ରଧାନ, ଅରବିନ୍ଦ ପ୍ରଧାନ, ହୃଷିକେଶ ଦେହୁରୀ, ଭାବଗ୍ରାହୀ ସାହୁ ପ୍ରମୁଖ ଦାବି କରିଛନ୍ତି।
ଏନେଇ ଅନୁଗୁଳ ଏଆରସିସି ନିରଞ୍ଜନ ସେଠଙ୍କୁ ପଚାରିବାରୁ ସେ କହନ୍ତି, ୟୁରିଆ ସାରର ଅଭାବ ନେଇ ଜିଲ୍ଲାପାଳଙ୍କ ମାଧ୍ୟମରେ ସରକାରଙ୍କୁ ଅବଗତ କରିଛୁ। ଖୁଚୁରା ବଜାରରେ ଚଢ଼ାଦରରେ ସାର ବିକୁଥିବା ଡିଲରଙ୍କ ଉପରେ ଚଢ଼ାଉ କରୁଛୁ। ଖୁବ୍ଶୀଘ୍ର ସମସ୍ୟାର ସମାଧାନ ହେବ।











