ତାଳଚେର/ପାଲଲହଡା: ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଆଜି ସଂସଦରେ ନିୟମ 377 ଅନୁଯାୟୀ ପାଲଲହଡାକୁ ଖୁବଶୀଘ୍ର ରେଳ ଲାଇନ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଦାବି ଉପସ୍ଥାପନ କରିଛନ୍ତି।
ସେ କହିଛନ୍ତି, ପ୍ରସ୍ତାବିତ ତାଳଚେର-ବିମଳାଗଡ଼ ରେଳ ଲାଇନ କାର୍ଯ୍ୟ ବର୍ଷ ବର୍ଷ ଧରି ଚାଲିଛି। ଖମାର ପର୍ଯ୍ୟନ୍ତ ଅଂଶ ସମ୍ପୂର୍ଣ୍ଣ ହୋଇସାରିଛି ଏବଂ ପାଲଲହଡା ଖମାରରୁ ମାତ୍ର ୨୩ କିଲୋମିଟର ଦୂରରେ ଅବସ୍ଥିତ।
ପାଲଲହଡା ଅନୁଗୋଳ ଜିଲ୍ଲାର ଏକ ପ୍ରମୁଖ ଉପଖଣ୍ଡ ଓ ବିଧାନସଭା ନିର୍ବାଚନମଣ୍ଡଳୀର ମୁଖ୍ୟାଳୟ। କେଉଁଝର ଜିଲ୍ଲା ମୁଖ୍ୟାଳୟ ୭୦ କିମି ଓ ଦେବଗଡ଼ ଜିଲ୍ଲା ମୁଖ୍ୟାଳୟ ୫୦ କିମି ଦୂରରେ ଥିବାରୁ ରେଳ ସଂଯୋଗ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସାଂସଦ କହିଛନ୍ତି।
ସେ ଦୃଢ଼ ଦାବି କରିଛନ୍ତି ଯେ, ପାଲଲହଡାକୁ ରେଳ ଲାଇନ ନିର୍ମାଣରେ ଆଉ ବିଳମ୍ବ ନହେଉ ଏବଂ ପାଳଲହଡା ରେଳ ଷ୍ଟେସନ ସହର ନିକଟରେ ହେଉ। ବର୍ତ୍ତମାନ ସହରଠାରୁ ୭ କିମି ଦୂରରେ ଷ୍ଟେସନ ପ୍ରସ୍ତାବ ରହିଛି, ଯାହାକୁ ସେ ବିରୋଧ କରିଛନ୍ତି।











