ନକଲି ଔଷଧ ମାଫିଆଙ୍କ ଟାର୍ଗେଟରେ ଅନୁଗୁଳ!

You are currently viewing ନକଲି ଔଷଧ ମାଫିଆଙ୍କ ଟାର୍ଗେଟରେ ଅନୁଗୁଳ!

ଅନୁଗୁଳ: ଗତ କିଛିଦିନ ଧରି କଟକ,ଭୁବନେଶ୍ବର,ଝାରସୁଗୁଡ଼ା,ବଲାଙ୍ଗୀର ଜିଲ୍ଲାରେ ନକଲି ଔଷଧ ମାଫିଆଙ୍କ ରାଜ ପରେ ଏବେ ଅନୁଗୁଳ ଟାର୍ଗେଟ କରୁଥିବା ଜଣା ପଡିଛି। ଗତ ଗୁରୁବାର ଅନୁଗୁଳ ସହରରେ ନକଲି ଆଣ୍ଟାସିଡ ବିକିବା ଅଭିଯୋଗରେ ଦୁଇଟି ଦୋକାନ ସିଲ ହୋଇଚି। ଗତ ଡ଼ିସେମ୍ବର ୨୦୨୨ ରୁ ଏହି ନକଲି ଔଷଧ କାରବାର ନେଇ ଡ୍ରଗ କଣ୍ଟ୍ରୋଲରକୁ ସୂଚନା ମିଳିବାପରେ ସ୍ଵତନ୍ତ୍ର ଟାସ୍କ ଫୋର୍ସ ଏଥିନେଇ ତଦନ୍ତ ଚାଲୁ ରଖିଥିଲା। ରିଟେଲର ଜଣକ କିଛି ଔଷଧର ବିଲ୍ ଦେଖାଇ ପାରିଥିବା ବେଳେ ଆଉ କେତେକ ଷ୍ଟ୍ରିପର ଦେଖାଇ ପାରି ନ ଥିଲେ। ସେହିଭଳି ହୋଲସେଲ ଦୋକାନୀର ମଧ୍ୟ କାଗଜପତ୍ର ଠିକ୍ ନ ଥିବା ବେଳେ ଏଷ୍ଟିଏଫ୍ କୁ ସହଯୋଗ କରି ନ ଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ କଟକରେ ଟେଲମା ୪୦ ଓ ଭୁବନେଶ୍ବର ଓ ଝାରସୁଗୁଡ଼ାରେ କ୍ଲାଭମ୍ ୬୨୫ ନକଲି ମିଳିବା ପରେ ଏଷ୍ଟିଏଫ ପକ୍ଷରୁ ତଦନ୍ତ କରାଯିବା ଶହ ଏକାଧିକ ଲୋକଙ୍କୁ ଗିରଫ କରାଯାଇଥିଲା।ଏହି ସବୁ ଅଞ୍ଚଳରେ ଚଢ଼ାଉ ଜୋରଦାର ହେବା ଫଳରେ ସମ୍ଭବତଃ ନକଲି ଔଷଧ ନିର୍ମାତା ଅନୁଗୁଳକୁ ଟାର୍ଗେଟ କରିଛନ୍ତି। ଏଡିସିଡିଏର ଜଣେ ପୂର୍ବତନ କର୍ମକର୍ତ୍ତା ନିଜ ନାମକୁ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଏବେ ରାଜ୍ୟ ବାହାରୁ ଅନେକ ଔଷଧ ଆସୁଚି।ରାୟପୁରରୁ ବସ୍ ରେ ଅନେକ ସମୟରେ ଔଷଧ ଆସୁଚି। ଅନୁଗୁଳ ଟାଉନ ଭିତରେ ଔଷଧ ଦୋକାନୀଙ୍କ ଭିତରେ ଯେଭଳି ପ୍ରତିଯୋଗିତା ଚାଲିଛି ତାର ପରିଣାମ ସ୍ବରୂପ ନକଲି ବିକିବାକୁ ପ୍ରୋତ୍ସାହନ ମିଳୁଚି। ମାଫିଆ ମାନେ ବେଶୀ ବିକ୍ରି ହେଉଥିବା କାଉଣ୍ଟର ଗୁଡ଼ିକୁ ଲୋଭ ଦେଖାଇ ଅଳ୍ପ ଅଳ୍ପ ମାଲ ଦେଉଛନ୍ତି। ଡ୍ରଗ ନିୟନ୍ତ୍ରଣ ବିଭାଗ ଆଖିରେ ଧୂଳି ଫିଙ୍ଗି ଏହି କାରବାର ଚାଲିଥିବା ଅଭିଯୋଗ ହେଉଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅନୁଗୁଳ ଔଷଧ ବିତରକ ସଂଘ ଏଭଳି ସମୟରେ ମୁହଁରେ ତୁଣ୍ଡି ବାନ୍ଧି ବସିଛନ୍ତି।
ଡିଆଇଙ୍କ ଛଡ଼ା ସଂଘର ମଧ୍ୟ ଦାୟିତ୍ବ ରହିଛି। ଅନୁଗୁଳ ମାର୍କେଟକୁ ଆସୁଥିବା ନକଲି ଔଷଧ କାରବାର ସେମାନଙ୍କ ଜାଣ ତ ରେ ହେଉଛି କି? ଏହା ମଧ୍ୟ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗତ ଗୁରୁବାର ଚଢ଼ାଉ ପରେ ଅନୁଗୁଳ ବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। କୋଉ ଦୋକାନରୁ ଔଷଧ ଖାଇବେ ତାହା ସମସ୍ୟା ସୃଷ୍ଟି କରିଛି। ଅନ୍ୟପକ୍ଷରେ ଅଭିଯୁକ୍ତ ମାନଙ୍କ ବିପକ୍ଷରେ ସମସ୍ତ ଦସ୍ତାବିଜ୍ ଓ ଚାର୍ଜସିଟ୍ ପ୍ରସ୍ତୁତ ହେଉଥିବାବେଳେ ବନ୍ଧା ହେବା ଥୟ ବୋଲି କୁହାଯାଉଛି।

Share

Leave a Reply