ଜାତୀୟ ମତଦାତା ଦିବସ ପାଳିତ: ମତଦାନ କରି ଅଧିକାର ସାବ୍ୟସ୍ତ କରିବା ଉପରେ ଗୁରୁତ୍ବାରୋପ

You are currently viewing ଜାତୀୟ ମତଦାତା ଦିବସ ପାଳିତ: ମତଦାନ କରି ଅଧିକାର ସାବ୍ୟସ୍ତ କରିବା ଉପରେ ଗୁରୁତ୍ବାରୋପ

ଅନୁଗୁଳ: ଆଜି ପୂର୍ବାହ୍ନରେ ଜିଲ୍ଲା ପ୍ରଶାସନର ନିର୍ବାଚନ ବିଭାଗ ଓ ଅନୁଗୁଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ମିଳିତ ସହଯୋଗରେ ୧୪ତମ ଜାତୀୟ ମତଦାତା ଦିବସ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ମତଦାତା ମାନେ ନିର୍ବାଚନରେ ନିଜ ନିଜର ମତଦାନ କରି ନିଜ ଅଧିକାର ସାବ୍ୟସ୍ତ କରିବା ଉପରେ ଗୁରୁତ୍ବାରୋପ କରିଥିଲେ।

କାର୍ଯ୍ୟକ୍ରମରେ ଅନୁଗୁଳ ସ୍ବୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ସର ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଜାତୀୟ ଭୋଟର ଦିବସର ଆରମ୍ଭ, ସ୍ଥିତି ଓ ମହତ୍ବ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ନୂତନ ଭୋଟରଙ୍କୁ ଭୋଟର କାର୍ଡ ବଣ୍ଟନ କରାଯାଇଥିଲା।

କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା, ପ୍ରବନ୍ଧ, କୁଇଜ୍ ଓ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ଜିଲ୍ଲା ସ୍ତରର ଶ୍ରେଷ୍ଠ ବୁଥ୍ ଲେଭଲ୍ ଅଫିସର ଓ ଉପଖଣ୍ଡ ସ୍ତରରେ ଶ୍ରେଷ୍ଠ ସୁପରଭାଇଜର୍ ଏବଂ ଶ୍ରେଷ୍ଠ ଏ.ଇ.ଆର୍.ଓଙ୍କୁ ସମ୍ମାନିତ କରାଯାଇଥିଲା।

ଭୋଟର ଦିବସ ଉପଲକ୍ଷେ ପୂର୍ବାହ୍ନରେ ଏକ ଶୋଭାଯାତ୍ରା ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ଏହି ଶୋଭାଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ପତାକା ଦେଖାଇ ଶୁଭାରମ୍ଭ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ବରଣେନ୍ଦୁ ମହାନ୍ତି, ସହକାରୀ ଜିଲ୍ଲାପାଳ ସୁକାନ୍ତ କୁମାର ଦାସ, ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠଙ୍କ ସମେତ ସରକାରୀ ପଦାଧିକାରୀ, ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply