ଭୁବନେଶ୍ୱର: ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ନମ୍ବର ପ୍ଲେଟ୍ ମାମଲାରେ ବଡ଼ ଆଶ୍ୱସ୍ତି। ନୂଆ ନମ୍ବର ପ୍ଲେଟ ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାରୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ସୋମବାର ବଡ଼ ଘୋଷଣା କରିଛନ୍ତି। ଯେଉଁମାନେ ଅବଧି ଶେଷ ପୂର୍ବରୁ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲାଗି ଅନଲାଇନରେ ଆବେଦନ କରିଛନ୍ତି କିନ୍ତୁ ଗାଡ଼ିରେ ଲାଗିପାରିନାହିଁ, ସେମାନେ ଚେକିଂରୁ ଛାଡ଼ ପାଇବେ। ଅନଲାଇନ୍ ବୁକିଂ ସ୍ଲିପ୍ ଦେଖାଇଲେ ତାଙ୍କୁ ଫାଇନ୍ ଦେବାକୁ ପଡ଼ିବ ନାହିଁ। ଆଉ ଯଦି ସ୍ଲିପ୍ ନଥିବ କିମ୍ବା ଆବେଦନ କରି ନଥିବେ, ତେବେ ଗାଡ଼ି ଅନୁସାରେ ୫ ହଜାରରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ପାଇଁ ସ୍ଲଟ୍ ମିଳୁନଥିବାରୁ ଏଭଳି ପଦକ୍ଷେପ ନେଇଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ ।
ସୂଚନାଯୋଗ୍ୟ ଯେ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ଘୋଷଣା ଅନୁସାରେ ଯେଉଁ ଗାଡ଼ିର ନମ୍ବରର ଶେଷ ଅଙ୍କ ୧, ୨, ୩ ଓ ୪ ଥିବ ସେମାନେ ସେପ୍ଟେମ୍ବର ୧୫ ମଧ୍ୟରେ ନୂଆ ହାଇସିକ୍ୟୁରିଟି ନମ୍ବର ପ୍ଲେଟ କରିବା ବାଧ୍ୟତାମୂଳକ। ଅକ୍ଟୋବର ୧ ସୁଦ୍ଧା ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗାଇ ନଥିଲେ ଜରିମାନା ଦେବାକୁ ପଡ଼ିବ। ସେହିଭଳି ଗାଡ଼ି ନମ୍ବର ପ୍ଲେଟର ଶେଷ ଅଙ୍କ ୫, ୬ ଥିଲେ ଅକ୍ଟୋବର ୩୧ ସୁଦ୍ଧା ନୂଆ ନମ୍ବର ଲଗାଇବାକୁ ପଡ଼ିବ।
୨୦୧୯ ଏପ୍ରିଲ୍ ୧ ପୂର୍ବରୁ କିଣା ଯାଇଥିବା ସମସ୍ତ ପୁରୁଣା ଗାଡ଼ିରେ ମଧ୍ୟ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗାଇବା ବାଧ୍ୟତାମୂଳକ ହୋଇଛି। ଏଥିପାଇଁ ଜୁନ୍ ୧ରୁ ଅନଲାଇନ୍ ପଞ୍ଜିକରଣ ଆରମ୍ଭ ହୋଇଥିଲା।