ଅନୁଗୁଳ: ଅନୁଗୁଳ ଏକ ଅଗ୍ରଣୀ ଶିଳ୍ପ ସମୃଦ୍ଧ ଜିଲ୍ଲା,ଏଠାରେ ଦୈନିକ ହଜାର ହଜାର ସଂଖ୍ୟାରେ ଛୋଟ ବଡ ଗାଡିମଟର ଚଳାଚଳ ହୁଏ, ତାହା ସହିତ ମୂଖ୍ୟ ରାସ୍ତା ଏବଂ ସହର ଭିତରେ ଥିବା ଗଳି ରାସ୍ତା ଉପରେ ଶହ ଶହ ସଂଖ୍ୟାରେ ବୁଲା ଷଣ୍ଢ ଏବଂ ଗାଈ ବାଛୁରୀ ମାନଙ୍କୁ ଦେଖିବାକୁ ମିଳୁଛି। ଏତେ ସଂଖ୍ୟାରେ ଏମାନେ ରାସ୍ତା ଉପରେ ଛିଡା ହେଉଥିବା ଅଥବା ଶୋଇ ରହୁଥିବା ହେତୁ ମୁଖ୍ୟତଃ ବର୍ଷା ଦିନେ ଆକାଶ ମେଘାଛନ୍ନ ଏବଂ ଶୀତ ଦିନେ ଅତ୍ୟଧିକ ଅନ୍ଧାରରେ ଅବା କୁହୁଡ଼ି କାରଣରୁ ରାତ୍ରୀ ସମୟରେ ଠିକରେ ନଦେଖା ଯିବା ହେତୁ ପ୍ରତ୍ୟେକ ଦିନ ଦୁର୍ଘଟଣାରେ ଶିକାର ହୋଇ ଅନେକ ବୁଲା ଷଣ୍ଢ ଓ ଗାଈ ମାନଙ୍କ ମୃତଦେହ ରାସ୍ତାରେ ପଡିଥିବାର ଦେଖିବାକୁ ମିଳୁଛି। ଏହା ସହିତ ସାଧାରଣ ଲୋକ ମାନେ ମଧ୍ୟ ଦୁର୍ଘଟଣାରେ ଶିକାର ହୋଇ ଆହତ ସହିତ ମୃତ୍ୟୁ ବରଣ ମଧ୍ୟ କରୁଛନ୍ତି।

ଏହି ଦୁର୍ଘଟଣାକୁ କିଛି ମାତ୍ରାରେ ରୋକିବା ପାଇଁ ଅନୁଗୋଳ ଜିଲ୍ଲାରେ CNEW(Conservation of Natural Environment & Wildlife) ନାମକ ଏକ ଏନଜିଓ ଯାହାଏହି ଦୁର୍ଘଟଣାକୁ ଏଡାଇବା ପାଇଁ ତାଙ୍କ ଟିମର ଚେୟାରମେନ ନୀଳମାଧବ ବେହେରା ଏବଂ ସେକ୍ରେଟାରୀ ତାପସ ରଂଜନ ସାମଲଙ୍କ ତତ୍ବାବଧାନରେ ତାଙ୍କ ଟିମର ସଦସ୍ୟ ମାନେ ଗତ ଜାନୁଆରୀ ମାସ ଠାରୁ ରାସ୍ତାରେ ବୁଲୁଥିବା ନନ୍ଦି ମହାରାଜ ଏବଂ ଗୋମାତା ବେକରେ ରେଡିଅମ୍ ବେଲ୍ଟ ଲଗେଇବା ଆରମ୍ଭ କରିଛନ୍ତି। ଏହାକୁ ଲଗେଇବା ଦ୍ଵାରା ଗାଡିର ଲାଇଟ୍ ପଡ଼ିଲେ ଏହା ଅଧିକ ଝଲସି ଥାଏ,ଯାହା ଦ୍ଵାରା ଗାଡି ଚାଳକ ମାନେ ଦୂରରୁ ଏମାନଙ୍କୁ ଦେଖି ପାରିବେ, ଗାଡିର ବେଗ କମ୍ କରିପାରିବା ସହିତ ଉଭୟଙ୍କର ଜୀବନ ବଞ୍ଚେଇ ପାରିବେ।
ବର୍ତ୍ତମାନ୍ ସୁଦ୍ଧା ଆମ ଜିଲ୍ଲା ର ସନ୍ତପଡା, ବଲ୍ହର, ଥର୍ମାଲ, ପଡ଼ିଆଭଙ୍ଗା, ବଅଁରପାଳ, ଯୋରାଗାଡିଆ, ନୂଆହତା, ବୁଢ଼ାପଙ୍କ, ସନ୍ତ୍ରିଛକ, ଗୋତମରା, ନଲକୋ ସିପିପି ଛକ, ମୁଣ୍ଡା ବଜାର ଏଫସିଆଇ, ବଳରାମ ପ୍ରସାଦ, ଗୋବାରା, ବଡସିଂହଡା, ଭରତପୁର, ବଲଣ୍ଡା,ଖଣ୍ଡହତା, ଛେଳିଆପଡ଼ା, ଖଲାରୀ ଠାରୁ ଅନୁଗୋଳ କଲେଜ୍ ଛକ ପର୍ଯ୍ୟନ୍ତ ଏରିଆରେ ଗୋରୁ ମାନଙ୍କ ବେକରେ ଏହି ବେଲ୍ଟ୍ ଲଗାଯାଇ ସରିଲାଣି। ଯଦି ଅନ୍ୟମାନଙ୍କ ସାହାଯ୍ୟ ସହଯୋଗ ମିଳେ ତାହାଲେ ସେମାନେ ଅନୁଗୁଳ ଜିଲ୍ଲାର ପ୍ରତ୍ୟେକ ଜନଗହଳି ପୁର୍ଣ୍ଣ ଏରିଆରେ ଏହି ରେଡ଼ିଅମ୍ ବେଲ୍ଟ୍ ଲଗେଇ ପାରିବେ ବୋଲି ସମ୍ପାଦକ ତାପସ ସାମଲ ଏଟିଭିକୁ ପ୍ରକାଶ କରିଛନ୍ତି। ସିନ୍ୟୁ ସଂସ୍ଥାର ଏଭଳି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି ।