ଅନୁଗୁଳ: ଅନୁଗୁଳ ସାହିତ୍ୟ ସଂସଦ ପକ୍ଷରୁ ବିଷୁବ ମିଳନ ଓ ସାମ୍ବତ୍ସରିକ ଉତ୍ସବ ସଂପର୍କରେ ଆଲୋଚନା ନେଇ ଏକ ବୈଠକ ଉତ୍କଳ ନବଜୀବନ ମଣ୍ଡଳ ପରିସରରେ ପ୍ରାଧ୍ୟାପକ କୁମୁଦ ଚନ୍ଦ୍ର ଦାଶଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଛି। ଉକ୍ତ ବୈଠକରେ ରାଜା ସୋମନାଥ ସିଂହ ପ୍ରତିଭା ସମ୍ମାନ-୨୦୨୧, କବି ରାଧାମୋହନ ଗଡ଼ନାୟକ ପ୍ରତିଭା ସମ୍ମାନ-୨୦୨୧ ଓ ପବିତ୍ରମୋହନ ସ୍ମୃତି ସମ୍ମାନ ୨୦୨୧ରେ କବି ବିରଞ୍ଚି ନାୟକ, ଡ. ସୁଷମା ପ୍ରଧାନ ଓ ଶ୍ରୀବତ୍ସ ପ୍ରଧାନଙ୍କୁ ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି। ଏହା ସହିତ ଜିଲ୍ଲା ସାହିତ୍ୟ ସଂସଦ ସାରସ୍ୱତ ସମ୍ମାନ ପାଇଁ ନିରଂଜନ ପତି, ଶାନ୍ତିଲତା ରଥ, ରମେଶ ଚନ୍ଦ୍ର ମିଶ୍ର, ବୈରାଗୀ ମଲ୍ଲିକ, ଡ. ଦଧିବାମନ ପ୍ରଧାନ, ଇଂ ଧନେଶ୍ୱର ସାହୁଙ୍କ ନାମ ସର୍ବସମ୍ମତିକ୍ରମେ ମନୋନୀତ ହୋଇଛି। ଆସନ୍ତା ବିଷୁବ ମିଳନ ଅବସରରେ ଉପରୋକ୍ତ ସମ୍ମାନ ପ୍ରଦାନ କରାଯିବ। ଏହି ବୈଠକରେ ପ୍ରାଧ୍ୟାପକ ଶାନ୍ତନୁ ସର, ପ୍ରାଧ୍ୟାପିକା ରମା ମଂଜରୀ ଗଡ଼ନାୟକ, ଅକ୍ଷୟ ପଟ୍ଟନାୟକ, ଶିବରାମ ମିଶ୍ର, ପ୍ରେମଲତା ସାହୁ ପ୍ରମୁଖ ଯୋଗ ଦେଇଥିଲେ। ସଂପାଦକ ରାଧାକାନ୍ତ ମହାନ୍ତି ସଭା ପରିଚାଳନା କରିଥିଲେ । ବୈଠକ ଅବସରରେ ସ୍ବର୍ଗତ ବିଚ୍ଛନ୍ଦ ଚରଣ ପ୍ରଧାନ ଓ ସ୍ବର୍ଗତ ବଂଶୀଧର ପ୍ରଧାନଙ୍କ ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା।