ଅନୁଗୁଳ: ଆସୁଛି ପାର୍ବଣ ଋତୁ। ଚଳିତବର୍ଷ କରୋନା କଟକଣା କମ୍ ଥିବାରୁ ଲୋକମାନେ ଏଥରକ ମଉଜ ମଜଲିସ କରିବାକୁ ଅନେକ ଯୋଜନା କରିଥିଲେ। ଏହାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଉଚ୍ଚ ସ୍ୱରରେ ମାଇକ୍ ବଜାଇବା ଓ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଅନୁଗୁଳ ଜିଲ୍ଲାରେ ମଧ୍ୟ ଏହି ନିୟମ କଡ଼ାକଡ଼ି ଭାବେ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଗ୍ରାମାଞ୍ଚଳରେ ପର୍ବପର୍ବାଣୀରେ ବାଣ ଫୁଟିବା ଓ ଉଚ୍ଚ ସ୍ବରରେ ମାଇକ ବଜାଇବାର କୁପ୍ରଭାବ ସମ୍ପର୍କରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ସ୍ଥାନୀୟ ସ୍କୁଲ ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀ ଅବଗତ କରାଇବାକୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ନିର୍ଦ୍ଦେଶ ଦେଇଛନ୍ତି।
ସେହିପରି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା ଓ ଦୀପାବଳିରେ ବାୟୁ ଏବଂ ଶବ୍ଦ ପ୍ରଦୂଷଣକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।