ପାଳଲହଡ଼ା: ପାଳଲହଡ଼ା ବ୍ଲକ୍ ୧୪୯ ନମ୍ୱର୍ ଜାତୀୟ ରାଜପଥ ଖମାର ଥାନା ଅନ୍ତର୍ଗତ ବାଞ୍ଜିକୁସମ୍ ଠାରେ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ଡାହାଣ ଗୋଡ଼ ଖଣ୍ଡ ବିଖଣ୍ଡିତ ହୋଇ ଘଟଣାସ୍ଥଳରେ ପଡ଼ିଥିବା ଦେଖିବାକୁ ମିଳିଛି।
ମୃତକ ହେଲେ ବତିସୂଆ ଗ୍ରାମର ସେତ ବେହେରା। ସେ ସମଲ ଠାରୁ ବାଇକ୍ ଯୋଗେ ନିଜ ଚାରି ବର୍ଷର ଝିଅ ଓ ସାତ ବର୍ଷର ଝିଆରୀକୁ ଧରି ନିଜ ଘର ବତିସୂଆଁକୁ ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।
ଘଟଣାସ୍ଥଳରେ ସେତଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଛୁଆଙ୍କୁ ପାଳଲହଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପରିବାର ଲୋକେ ଘଟଣାସ୍ଥଳରେ ଶବକୁ ରଖି କ୍ଷତିପୂରଣ ଦାବି କରିବା ସହ ପ୍ରାୟ ତିନି ଘଣ୍ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିଥିଲେ। ଖବର ପାଇ ପାଳଲହଡ଼ା ଥାନା ଅଧିକାରୀ, ଖମାର ଥାନା ଭାରପ୍ରାପ୍ତ ଅଧିକାରୀ ଓ ଅତିରିକ୍ତ ତହସିଲଦାର ପହଞ୍ଚି ମୃତକଙ୍କ ପରିବାରକୁ ବୁଝାସୁଝା କରି ଶବକୁ ବ୍ୟବଚ୍ଛେଦ ପାଇଁ ପାଳଲହଡା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି।
ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଥିବା ଗାଡ଼ିକୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି।