ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ଖୋଲାମୁହଁ କୋଇଲା ଖଣିରେ ବୁଧବାର ଠାରୁ କୋଇଲା ପରିବହନରେ ଲାଗୁ ହେବାକୁ ଥିବା‘ଫାଷ୍ଟ କମ୍ ଫାଷ୍ଟ ସର୍ଭିସ’କୁ ସ୍ଥାନୀୟ କ୍ଷତିଗ୍ରସ୍ତ ପ୍ରଜା ବିରୋଧ କରିଛନ୍ତି। ଫଳରେ ଟ୍ରାଏଲରେ ହେବାକୁ ଥିବା କୋଇଲା ପରିବହନ ବନ୍ଦ ରହିଛି। ସନ୍ଧ୍ୟାରେ ଖଣି ମହାପ୍ରବନ୍ଧକ, ପ୍ରକଳ୍ପ ଅଧିକାରୀ ଘଟଣାସ୍ଥଳକୁ ଆସି ପ୍ରଜାଙ୍କ ଦାବି ନେଇ ଏକ ଉଚ୍ଚସ୍ତରୀୟ ବୈଠକ ପରେ ନିଷ୍ପତ୍ତି ନିଆଯିବ ବୋଲି ବୁଝାସୁଝା କରିଥିଲେ । ପ୍ରକାଶ ଯେ, କଣିହାଁ ଖୋଲାମୁହଁ କୋଇଲା ଖଣିରୁ ବାହାରକୁ ଟ୍ରକ ଯୋଗେ କୋଇଲା ପରିବହନ ହେବାକୁ ସ୍ଥିର ହୋଇଥିଲା। ମାତ୍ର ଏହାକୁ ସ୍ଥାନୀୟ ଅଞ୍ଚଳର କ୍ଷତିଗ୍ରସ୍ତ ପ୍ରଜା କଣିହାଁ, ଜରଡ଼ା, ଜୟପୁର, କଂସମୁଣ୍ଡା, ମାଳପଶି, ଗୋଇଲାଣ୍ଡ, ଗୁଣ୍ଡୁରୀନାଳୀ, ଜମାନିଆ, ଅଦ୍ବୈତ ପ୍ରସାଦ ଗ୍ରାମର ଗ୍ରାମବାସୀ ବିରୋଧ କରିଥିଲେ । ସ୍ଥାନୀୟ ଟ୍ରକ ମାଲିକ ଏବଂ କ୍ଷତିଗ୍ରସ୍ତ ପ୍ରଜାଙ୍କ କହିବା ଅନୁଯାୟୀ ଫାଷ୍ଟ୍ କମ ଫାଷ୍ଟ ସର୍ଭିସ ତଥା କୋଇଲା ଲୋକାଲ୍ସେଲ୍ ପାଇଁ ପ୍ରଥମେ ସ୍ବତନ୍ତ୍ର ରାସ୍ତା ତିଆରି କରାଯାଉ । କ୍ଷତିଗ୍ରସ୍ତ ପ୍ରଜାଙ୍କୁ ପାଲଭିଡ଼ା, ପାଣି ସିଞ୍ଚନ ଆଦି କାମରେ ନିୟୋଜିତ କରାଯାଇ ସ୍ଥାନୀୟ ଗାଡ଼ି ମାଲିକଙ୍କୁ କୋଇଲା ପରିବହନ କ୍ଷେତ୍ରରେ ଅଗ୍ରାଧିକାର ଦିଆଯାଉ ବୋଲି ଦାବି କରି ଆନ୍ଦୋଳନ ଚଳାଇଥିଲେ।ଖବର ପାଇ ଖଣି ମହାପ୍ରବନ୍ଧକ କିଶୋର କୁମାର ରାଉଳ ଏବଂ ପ୍ରକଳ୍ପ ଅଧିକାରୀ ନାରାୟଣ ପ୍ରସାଦ ପାତ୍ର ଜରଡ଼ା ମୁଖ୍ୟ ଫାଟକ ନିକଟସ୍ଥ ଆନ୍ଦୋଳନସ୍ଥଳକୁ ଆସି ପ୍ରଜାଙ୍କ ସହ ଆଲୋଚନା କରିଥିଲେ । କିଛି ଦିନ ଭିତରେ କ୍ଷତିଗ୍ରସ୍ତ ଗ୍ରାମର ସଭାପତି ଏବଂ ସମ୍ପାଦକଙ୍କୁ ଡକାଯାଇ ଏକ ଉଚ୍ଚସ୍ତରୀୟ ବୈଠକ ବସିବ। ବୈଠକରେ କ୍ଷତିଗ୍ରସ୍ତ ପ୍ରଜାଙ୍କ ଦାବି ପୂରଣ ଉପରେ ଗୁରୁତ୍ବ ଦିଆଯିବ ବୋଲି ସେ ପ୍ରକାଶ କରିଥିଲେ। ଅନ୍ୟପକ୍ଷରେ କୋଇଲା ପରିବହନ ପାଇଁ ସ୍ବତନ୍ତ୍ର ରାସ୍ତା ନକରି ପଞ୍ଚାୟତ ରାସ୍ତାରେ କୋଇଲା ଟ୍ରକ୍ ଚଳାଚଳକୁ ବରଦାସ୍ତ କରାଯିବନାହିଁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
‘ଫାଷ୍ଟ୍ କମ୍ ଫାଷ୍ଟ୍ ସର୍ଭିସ’କୁ ବିରୋଧ,ଆନ୍ଦୋଳନକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ ଗ୍ରାମବାସୀ
- Post published:August 26, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
