ଅନୁଗୁଳ: ବଦଳିଲା ସରକାର ବଦଳିଲା ଶାସନ, ହେଲେ ବ୍ୟବସ୍ଥାରେ ଟିକେ ହେଲେ ସୁଧାର ଆସିଲା ନାହିଁ। ଶିକ୍ଷା ସ୍ୱାସ୍ଥ୍ୟ ଭଳି ଗୁରୁତ୍ୱପୂର୍ଣ ସେବାରେ ମଧ୍ୟ ବିକଳ ପରିସ୍ଥିତି ଉପୁଜିଛି। ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲାରେ ଡାକ୍ତର ଅଭାବରୁ ଜଣେ ବୟସ୍କ ବୃଦ୍ଧ ନିଜ ରୋଗାଗ୍ରସ୍ତ ପୁଅର ରକ୍ତଚାପ(ବିପି) ନିଜେ ମାପୁଥିବା ଚିତ୍ର ଜିଲାର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସୂଚନା ଯେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଲାଗି ନିର୍ମାଣ ହୋଇଛି ଟ୍ରମା କେୟାର କୋଠା। ଲକ୍ଷଥିଲା ଅନୁଗୁଳ ମାଟିରେ ସମସ୍ତ ଜରୁରୀକାଳୀନ ଚିକିତ୍ସା ସେବା ଯୋଗାଇବା ପାଇଁ। ପୂର୍ବ ଜିଲାପାଳ ଏହି ଉଦେଶ୍ୟରେ ନିର୍ମାଣ କରିଥିଲେ ଟ୍ରମା କେୟାର ସେଣ୍ଟର। ବର୍ତ୍ତମାନ ଯାହା ଟ୍ରମା କେୟାର ସହ ତାଳଚେର ପବିତ୍ର ମୋହନ ମେଡ଼ିକାଲ କଲେଜର ଶିକ୍ଷାର ଏକ ଅଂଶ ଭାବେ କାର୍ଯ୍ୟକରୁଛି। ପ୍ରତିଦିନ ଏଠାକୁ ବଡ଼ ବଡ଼ ଡାକ୍ତରଙ୍କ ସହ ବିଶେଷଜ୍ଞ ମାନେ ଆସୁଛନ୍ତି। କିନ୍ତୁ ଏହି ଟ୍ରମା କେୟାର ମଧ୍ୟରେ ଏକ ବିକଳ ଚିତ୍ର ଦେଖିବାକୁ ମିଳିଛି।
ଯାହା କେବଳ ଅନୁଗୁଳ ନୁହଁ ସାରା ରାଜ୍ୟର ସ୍ୱାସ୍ଥ୍ୟସେବାର ନଗ୍ନ ଚିତ୍ରକୁ ସାମ୍ନାକୁ ଆଣିଛି। କୌଣସି ଏକ ରୋଗରେ ପଡି ଜଣେ ବୃଦ୍ଧା ବାପା ନିଜ ପୁଅଙ୍କୁ ଧରି ଡାକ୍ତରଖାନା ଆସିଥିଲେ। ଡାକ୍ତର ତାଙ୍କୁ ଦେଖିବା ପରେ ରକ୍ତଚାପ(ବିପି) ମାପିବା ପାଇଁ କହିଥିଲେ। ଏଥି ପାଇଁ ନିୟୋଜିତ ହୋଇଥିବା କର୍ମଚାରୀ କେହି ନଥିବା କାରଣରୁ ବହୁ ସମୟ ଅପେକ୍ଷା କରିବା ପରେ ବୁଢ଼ା ବାପା ଜଣଙ୍କ ନିଜ ପୁଅର ବିପି ନିଜେ ମାପୁଥିବା ଦେଖାଯାଇଛି। ଏପରି ବିକଳ ଚିତ୍ର ଯେତିକି ହୃଦୟ ବିଦାରକ ସେତିକି ସ୍ପଶକାତର। ଏହି ଘଟଣା ଉପରେ ଖୋଦ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବା ପାଇଁ ଅନୁଗୁଳ ଜନସାଧାରଣ ଦାବି କରିଛନ୍ତି।