ପ୍ରାଇଭେଟ୍ କମ୍ପାନୀକୁ ଜମି ଦେବାକୁ ପଞ୍ଚାୟତବାସୀଙ୍କ ମନା: ତାଳଚେର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

You are currently viewing ପ୍ରାଇଭେଟ୍ କମ୍ପାନୀକୁ ଜମି ଦେବାକୁ ପଞ୍ଚାୟତବାସୀଙ୍କ ମନା: ତାଳଚେର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଅନୁଗୁଳ: ତାଳଚେର ବ୍ଲକ ଅନ୍ତର୍ଗତ ଧରମପୁର ଓ କଙ୍କିଳି ପଞ୍ଚାୟତରେ କୋଇଲା ଖନନ ପାଇଁ ଘରୋଇ କମ୍ପାନୀ ‘ରୁଙ୍ଗଟା ସନ୍ସ’ର ଉଦ୍ୟମକୁ ଜୋରଦାର ବିରୋଧ କରାଯାଇଛି। କୌଣସି ପରିସ୍ଥିତିରେ ପ୍ରାଇଭେଟ୍ କମ୍ପାନୀକୁ ଜମି ପ୍ରଦାନ କରାଯିବ ନାହିଁ ବୋଲି ଦୁଇଟି ପଞ୍ଚାୟତର ବାସିନ୍ଦା ସ୍ପଷ୍ଟ କରିଛନ୍ତି।
ସୂଚନା ଅନୁଯାୟୀ, ଗ୍ରାମବାସୀଙ୍କ ବିରୋଧ ସତ୍ତ୍ୱେ ଆଜି କିଛି ଲୋକଙ୍କ ସହାୟତାରେ କମ୍ପାନୀର ଦୁଇଟି ଗାଡ଼ି ଧରମପୁର ଅଞ୍ଚଳରେ ବୋର୍‌ୱେଲ୍ ସର୍ଭେ ଓ ଡ୍ରିଲିଂ ପାଇଁ ପହଞ୍ଚିଥିଲେ। ଏହା ଜାଣିବା ପରେ ପ୍ରାୟ ୫୦୦ରୁ ଊର୍ଦ୍ଧ୍ୱ ପୁରୁଷ ଓ ମହିଳା ଏକତ୍ରିତ ହୋଇ ଡ୍ରିଲିଂ ଗାଡ଼ିକୁ ସେଠାରୁ ଘଉଡ଼ାଇ ଦେବା ସହ ତାଳଚେର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ।

ଏହାକୁ ନେଇ ଉପ-ଜିଲ୍ଲାପାଳଙ୍କ ସଭାଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। କେବଳ ମୁଷ୍ଟିମେୟ ଲୋକଙ୍କୁ ନେଇ ନୁହେଁ, ବରଂ ସମସ୍ତ ପଞ୍ଚାୟତବାସୀଙ୍କ ଉପସ୍ଥିତିରେ ଆଲୋଚନା ପାଇଁ ଦାବି ହୋଇଥିଲା। ଶେଷରେ ଉପ-ଜିଲ୍ଲାପାଳ କମ୍ପାନୀ କର୍ତ୍ତୃପକ୍ଷଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଯେ, ଯେଉଁ ପର୍ଯ୍ୟନ୍ତ ଗ୍ରାମବାସୀ ସମ୍ମତି ପ୍ରକାଶ କରିନାହାନ୍ତି, ସେ ପର୍ଯ୍ୟନ୍ତ କୌଣସି ଡ୍ରିଲିଂ କାର୍ଯ୍ୟ କରାଯାଇପାରିବ ନାହିଁ। କମ୍ପାନୀ ପ୍ରତିନିଧିମାନେ ଗ୍ରାମକୁ ଯାଇ ଲୋକଙ୍କ ସହ ସିଧାସଳଖ ଆଲୋଚନା କରିବାକୁ ସେ ପରାମର୍ଶ ଦେଇଛନ୍ତି। ପଞ୍ଚାୟତବାସୀଙ୍କ ଏହି ଦୃଢ଼ ଆଭିମୁଖ୍ୟ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Share

Leave a Reply