ପାଳଲହଡାରେ ‘ପିଏମ୍-ଜନମନ”ର ସୂଚନା, ଶିକ୍ଷା ଓ ଯୋଗାଯୋଗ କାର୍ଯ୍ୟକ୍ରମ ଆରମ୍ଭ

You are currently viewing ପାଳଲହଡାରେ ‘ପିଏମ୍-ଜନମନ”ର ସୂଚନା, ଶିକ୍ଷା ଓ ଯୋଗାଯୋଗ କାର୍ଯ୍ୟକ୍ରମ ଆରମ୍ଭ

ଅନୁଗୁଳ: ବିଶେଷ ଭାବରେ ଦୁର୍ବଳ ଜନଜାତି ଗୋଷ୍ଠୀ (Particularly Vulnerable Tribal Group- PVTG) ମାନଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ (ପି ଏମ୍ -ଜନମନ) ଅନୁଗୁଳରେ ଆରମ୍ଭ ହୋଇଛି। ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ୍‌ରେ ବସବାସ କରୁଥିବା ପାଉଡିଭୂୟାଁ ପି ଭି ଟିଜିର ସଦସ୍ୟଙ୍କ ନିମନ୍ତେ ଆଜିଠାରୁ ଆସନ୍ତା ସେପ୍ଟେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ସୂଚନା,ଶିକ୍ଷା ଏବଂ ଯୋଗାଯୋଗ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

ଏ ଅବସରରେ ଆଜି ଜିଲ୍ଲା କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ମହାପାତ୍ର, ଜିଲ୍ଲା ମଙ୍ଗଳ ଅଧିକାରୀ ଦିଲ୍ଲୀପ କୁମାର ମିଶ୍ର, ପାଉଡିଭୂୟାଁ ଉନ୍ନୟନ ସଂସ୍ଥାର ସ୍ବତନ୍ତ୍ର ଅଧିକାରୀ ପ୍ରଦୀପ ନାୟକ ପ୍ରମୁଖ ଯୋଗ ଦେଇ ଏହି ଅଭିଯାନ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସୂଚନା ଦେଇଥିଲେ। ପାଳଲହଡା ବ୍ଲକ୍ ଅନ୍ତର୍ଗତ ନଗିରା, ବରଡିହ, ବନ୍ଧାଭୂଇଁ, ଶିଗଡ, ପେଚାମୁଣ୍ଡି, ସଇଡା, ନମପଶି ଓ ଝାରବେଡା ଗ୍ରାମ ପଞ୍ଚାୟତର ମୋଟ ୪୨ ଗୋଟି ରାଜସ୍ୱ ଗ୍ରାମରେ ୬ ହଜାର ୭୪୮ ଜଣ ପାଉଡିଭୂୟାଁ ଆଦିବାସୀ ସଦସ୍ୟ ବସବାସ କରୁଛନ୍ତି। ଏହି ଜନଜାତିଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଘରେ ଘରେ ପ୍ରଚାର ପ୍ରସାର କରିବା ହେଉଛି ପ୍ରଶାସନର ଲକ୍ଷ୍ୟ। ସର୍ବପ୍ରଥମେ ଆଧାର ପଞ୍ଜିକରଣରୁ ବାଦ୍ ପଡିଥିବା ୫୨୮ ଜଣ ସଦସ୍ୟଙ୍କର ଆଧାର ପଞ୍ଜିକୃତ କରାଯିବ ଓ ଲୋକଙ୍କୁ ବିଭିନ୍ନ ଯୋଜନାରେ ଲାଭ ଦିଆଯିବ।

ଏହି ଅବସରରେ ଏକ ସଚେତନତା ରଥକୁ ଅତିରିକ୍ତ ଜିଲ୍ଲାପାଳ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। କାର୍ଯ୍ୟକ୍ରମରେ ଜିଲ୍ଲା ଦକ୍ଷତା ଓ ନିୟୋଜନ ଅଧିକାରୀ ଦେବାଶିଷ ସାହୁଙ୍କ ସମେତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଓ ଜିଲ୍ଲା ମଙ୍ଗଳ ଅଧିକାରୀ କାର୍ଯ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ।

Share

Leave a Reply