ଅନୁଗୁଳ: ତାଳଚେର ଅଞ୍ଚଳରେ କାୟା ବିସ୍ତାର କରୁଥିବା ନିଶା କାରବାର ଉପରେ ପୋଲିସ ଏକ ଶକ୍ତ ପ୍ରହାର କରିଛି। ଗତ ୧୦ ତାରିଖ ରାତିରେ ଜନ୍ଦାବହାଲ କେନାଲ ନିକଟରେ କିଛି ଅସାମାଜିକ ଯୁବକ ଏକାଠି ହୋଇ ବ୍ରାଉନ ସୁଗାର କାରବାର କରୁଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ଏହି ସୂଚନା ଆଧାରରେ ଏସପିଙ୍କ ନିର୍ଦ୍ଦେଶକ୍ରମେ ତାଳଚେର ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ତୁରନ୍ତ ଚଢାଉ କରାଯାଇଥିଲା। ଚଢାଉ ସମୟରେ ଘଟଣାସ୍ଥଳରୁ ପୋଲିସ ୧୦ ଜଣ ଅଭିଯୁକ୍ତଙ୍କୁ କାବୁ କରିବା ସହ ସେମାନଙ୍କ ନିକଟରୁ ପ୍ରାୟ ୫୬ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ କରିଛି। ଏହା ସହିତ ୮ ଟି ମୋବାଇଲ ଫୋନ, ନଗଦ ୧୨ ହଜାର ଟଙ୍କା ଏବଂ ନିଶା କାରବାରରେ ବ୍ୟବହୃତ ଚାରୋଟି ବାଇକ୍ ମଧ୍ୟ ଜବତ କରାଯାଇଛି।
ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ବାଘୁଆବୋଲର କିଷାନ ବାରିକ ଓ ସୁବ୍ରତ ନାୟକ, ତାଳବେଡାର ଆଦିତ୍ୟ କୁମାର ସାହୁ, ହାଟତୋଟାର କୀର୍ତ୍ତି ଆଜାଦ ପ୍ରଧାନ ଓ ପୂର୍ଣ୍ଣାନନ୍ଦ ସାହୁ, କଙ୍କିଲିର ଅମର ଦେହୁରୀ, କିଶୋରିଗଞ୍ଜ ପାଟଣାର ପ୍ରଶାନ୍ତ ନାହାକ ଏବଂ ସାଉଥ୍ ବଲାଣ୍ଡା ଅଞ୍ଚଳର ସୂରଜ ଭଗତ, ସୌରଭ ସିଂହ ଓ ମହାନ୍ତି ନାଏକ। ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ମଧ୍ୟ ଜିଲ୍ଲା ପୋଲିସ ପକ୍ଷରୁ ନିଶା ବିରୋଧୀ ଅଭିଯାନ ଜୋରଦାର କରାଯାଇ ତାଳଚେରର ବିଭିନ୍ନ ଅଞ୍ଚଳରୁ ୧୫୩ ଗ୍ରାମ ବ୍ରାଉନ ସୁଗାର ଜବତ ହେବା ସହ ୧୦ ଟି ମାମଲା ରୁଜୁ ହୋଇସାରିଛି। ଏହି ସବୁ ମାମଲାରେ ପୂର୍ବରୁ ୫୦ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏହି ସଫଳ ଚଢାଉରେ ଏସଆଇ ପୁଲିନ କୁମାର ପ୍ରଧାନ, ସତ୍ୟବ୍ରତ ରାଉତ, ଏଏସଆଇ ଗୋଲକ ବିହାରୀ ସେଠି, ହରେଶ ଚନ୍ଦ୍ର ଦଳେଇ ଏବଂ ରବୀନ୍ଦ୍ରନାଥ ମହାନନ୍ଦ ପ୍ରମୁଖ ସାମିଲ ହୋଇଥିଲେ।


