ବଅଁରପାଳ: ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥର ଶୋଚନୀୟ ଅବସ୍ଥା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ବିଶେଷ କରି ବଅଁରପାଳ, ଗୋତମରା ଓ ଆଖପାଖ ଅଞ୍ଚଳର ବାସିନ୍ଦା ତଥା ଯାତ୍ରୀମାନେ ଧୂଳିଧୂଆଁ ଓ ଦୁର୍ଘଟଣାରେ ଅତିଷ୍ଠ ହେଲେଣି ।
ରାସ୍ତା ନିର୍ମାଣ କାର୍ଯ୍ୟ ଓ ରାଜପଥର ଗର୍ତ୍ତରେ ସ୍କ୍ରାପ୍ ପକାଯିବା ଯୋଗୁଁ ଧୂଳିଧୂଆଁର ମାତ୍ରା ବୃଦ୍ଧି ପାଇଛି । ଧୂଳି ଯୋଗୁଁ ବିପରୀତ ଦିଗରୁ ଆସୁଥିବା ଗାଡ଼ି ଦୃଶ୍ୟମାନ ହେଉନାହିଁ, ଫଳରେ ଦୁର୍ଘଟଣା ବଢ଼ିବାରେ ଲାଗିଛି ଏବଂ ଅନେକ ମୁଣ୍ଡ ନେଲାଣି ଏହି ରାଜପଥ ।
ବଅଁରପାଳ ଠାରୁ ତାଳଚେର ପର୍ଯ୍ୟନ୍ତ ଶିଳ୍ପ ସମୃଦ୍ଧ ଅଞ୍ଚଳ ହୋଇଥିବାରୁ ଏହି ରାସ୍ତାରେ କୋଇଲା ଓ କମ୍ପାନୀ ଦ୍ରବ୍ୟ ବୋଝେଇ ହଜାର ହଜାର ଭାରିଯାନ ଦିନରାତି ଯାତାୟାତ କରୁଛି, ଯାହା ପଥଚାରୀ, କାର୍ ଓ ବାଇକ ଚାଳକଙ୍କ ପାଇଁ ନାନା ସମସ୍ୟା ସୃଷ୍ଟି କରୁଛି ।
ଜନସାଧାରଣ ଓ ରାଜନୈତିକ ନେତୃବୃନ୍ଦଙ୍କ ତରଫରୁ ବାଇପାସ୍ ରାସ୍ତା ନିର୍ମାଣ ଏବଂ ସମସ୍ୟା ସମାଧାନ ପାଇଁ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ, କେନ୍ଦ୍ର ସରକାର ଓ ପରିବହନ ମନ୍ତ୍ରୀଙ୍କୁ ବାରମ୍ବାର ଦାବିପତ୍ର ପ୍ରଦାନ କରାଯାଇଛି । ମାତ୍ର NHAI ଆଦୌ କର୍ଣ୍ଣପାତ କରୁନାହିଁ ।
କେନ୍ଦ୍ର ସରକାର ଓ ରାଜପଥ ବିଭାଗ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ସ୍ଥିତିରେ ସୁଧାର ଆସୁନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି । ଅଞ୍ଚଳବାସୀ ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଦୃଢ଼ ଦାବି କରିଛନ୍ତି ।




