ଭୁବନେଶ୍ୱର: ଓଡ଼ିଶାର ସୁନାମଧନ୍ୟ ଓ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କର ପରଲୋକ ହୋଇଯାଇଛି। ଭୁବନେଶ୍ୱର ଏମ୍ସ (AIIMS)ରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ତାଙ୍କର ଦେହାନ୍ତ ଘଟିଛି।
କିଛିଦିନ ହେବ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଥିଲା ଏବଂ ସେ ଭେଣ୍ଟିଲେଟର୍ ସହାୟତାରେ ଥିଲେ। ସେ ଲିଭର୍ ଏବଂ କିଡନୀ ଜନିତ ଗୁରୁତର ରୋଗ ସହ ଶ୍ୱାସକ୍ରିୟା ଜନିତ ଅସୁବିଧା, ନିମୋନିଆ, ହେପାଟୋପାଥି, ଥ୍ରୋମ୍ବୋସାଇଟୋପେନିଆ, ଓ କୋଆଗୁଲୋପାଥିରେ ପୀଡ଼ିତ ଥିଲେ।
ଗତ କିଛି ସପ୍ତାହ ହେଲା ସେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଏବଂ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଥିଲା। ଅଧିକ ଚିକିତ୍ସା ପାଇଁ ତାଙ୍କୁ ରାଜ୍ୟ ବାହାରକୁ ନେବାକୁ ଯୋଜନା ଥିଲା ଏବଂ ଏଥିପାଇଁ ତାଙ୍କ ମାଆ ଓ ସ୍ତ୍ରୀ ରାଜ୍ୟ ସରକାରଙ୍କୁ ସହାୟତା କରିବା ପାଇଁ ନିବେଦନ କରିଥିଲେ। ମୁଖ୍ୟମନ୍ତ୍ରୀ ମଧ୍ୟ ଡାକ୍ତରଙ୍କ ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଆଲୋଚନା କରିଥିଲେ।
ଓଡ଼ିଆ ଚଳଚ୍ଚିତ୍ର ଓ ଆଲବମ୍ରେ ଅନେକ ରୋମାଣ୍ଟିକ୍ ଗୀତ ଗାଇ ସେ ଘରେ ଘରେ ପରିଚିତ ଥିଲେ। ତାଙ୍କ ବିୟୋଗରେ ଓଡ଼ିଆ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି।
