ଅନୁଗୁଳ: ଆସନ୍ତା ୩୦ ଅକ୍ଟୋବର ୨୦୨୫, ଗୁରୁବାର କାର୍ତ୍ତିକ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଶ୍ରୀ ଗୋପାଳ ଗୋଶାଳା, ରକ୍ତଲେଇ, ଅନୁଗୁଳ ଆନୁକୂଲ୍ୟରେ ପବିତ୍ର ଗୋପାଷ୍ଟମୀ ମେଳା ବର୍ଣ୍ଣାଢ୍ୟ ଭାବେ ପାଳନ ହେବ। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ସମ୍ମାନିତ ଅତିଥି ଭାବେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଏବଂ ମୁଖ୍ୟ ବକ୍ତା ଭାବେ ବିଶ୍ଵ ହିନ୍ଦୁ ପରିଷଦର ରାଜ୍ୟ ସାଧାରଣ ସମ୍ପାଦକ ପଣ୍ଡିତ ମହେଶ ସାହୁ ଯୋଗଦେବେ। ଏହା ସହ ଅନୁଗୁଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିବେ।
କାର୍ଯ୍ୟକ୍ରମ ସକାଳ ୯ଟାରେ ଗୋମାତା ପୂଜନରୁ ଆରମ୍ଭ ହୋଇ ଶ୍ରୀ ହନୁମାନ ଚାଳିଶା ପାଠ, କାମଧେନୁ ଯଜ୍ଞ, ପ୍ରଦର୍ଶନୀ ଓ ପ୍ରବଚନ ସଭା ଆୟୋଜିତ ହେବ। ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଭାଗୀଙ୍କୁ ବରେଣ୍ୟ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯିବ। ସକାଳ ୧୦ଟାରୁ ତୁଳାଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ, ଯେଉଁଥିରେ ଗୋଭକ୍ତମାନେ ନିଜ ଓଜନ ପରିମାଣର ଗୋଖାଦ୍ୟ ଦାନ କରିବେ। ଅପରାହ୍ନ ୧ଟାରୁ ସମସ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ରହିଛି।
ଆଜି ଏନେଇ ସ୍ଥାନୀୟ ମାରୱାଡ଼ି ଧର୍ମଶାଳାଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଗୋପାଳ ଗୋଶାଳାର ସଭାପତି ଲଡୁକେଶ୍ୱର ଅଗ୍ରୱାଲା, ଉପଦେଷ୍ଟା ଅଶୋକ ମୁରାରକା, ସମ୍ପାଦକ ରାମ କିଶନ ବଂସଲ ଓ ଗଣମାଧ୍ୟମ ପ୍ରତିନିଧି ଚନ୍ଦ୍ରକାନ୍ତ ଧଳ ଉପସ୍ଥିତ ରହି ଗୋପାଷ୍ଟମୀ ମେଳା ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରି ସମସ୍ତଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଥିଲେ।


