ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ହାଣ୍ଡିଗୋଡ଼ା ଓ ଜମୁନାଳି ଗାଁ ନିକଟରେ ଚାଲିଥିବା ଜିଏମଡିସି କମ୍ପାନୀର ସର୍ଭେକୁ ବିରୋଧ କରି ଗ୍ରାମବାସୀ ୨ଜଣ କମ୍ପାନୀ କର୍ମଚାରୀଙ୍କୁ ଅଟକ ରଖିଛନ୍ତି।
ସୂଚନା ମୁତାବକ, ଛେଣ୍ଡିପଦା ବ୍ଲକରେ ଜିଏମଡିସି କମ୍ପାନୀ ପକ୍ଷରୁ କୋଇଲା ଖଣି ପାଇଁ ଜାମୁନାଳି ଗାଁର ପଡିଆନାଳି ଠାରେ ସର୍ଭେ କରୁଥିବା ବେଳେ କ୍ଷତିଗ୍ରସ୍ତ ଗ୍ରାମବାସୀ ପହଞ୍ଚି ତୀବ୍ର ବିରୋଧ କରିଥିଲେ। ବାରମ୍ବାର ବିରୋଧ ସତ୍ତ୍ୱେ କମ୍ପାନୀ କର୍ମଚାରୀ ଗାଁ ନିକଟକୁ ଆସି ସର୍ଭେ କରୁଥିବାରୁ କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ସେମାନେ କମ୍ପାନୀ କର୍ମଚାରୀଙ୍କୁ ଅଟକ ରଖିବାରୁ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା।
ଖବର ପାଇ ଛେଣ୍ଡିପଦା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପାଇଁ ଉଦ୍ୟମ କରିଥିଲେ।
ଦୀର୍ଘ ୨ ଘଣ୍ଟା ପର୍ଯ୍ୟନ୍ତ ଆଲୋଚନା ପରେ ସମାଧାନର ସୂତ୍ର ନବାହାରିବାରୁ ଗ୍ରାମବାସୀ କମ୍ପାନୀର କର୍ମଚାରୀ ଦୁଇ ଜଣଙ୍କୁ କୋଠଘର ନିକଟକୁ ନେଇ ଅଟକ ରଖିଥିଲେ। ଦୀର୍ଘ ୪ ଘଣ୍ଟା ଆଲୋଚନା ପରେ ସମାଧାନ ହୋଇଥିଲା। ଦୁଇ ସପ୍ତାହ ମଧ୍ୟରେ ଗ୍ରାମବାସୀ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବୈଠକ କରାଯିବ ଏବଂ ତା’ ପରେ ବୈଠକ ଅନୁଯାୟୀ ସମାଧାନ ହେବ ବୋଲି ନିଷ୍ପତ୍ତି ହୋଇଛି। ଏହି ପ୍ରତିଶ୍ରୁତି ପରେ ବନ୍ଧକଙ୍କୁ ଗ୍ରାମବାସୀ ଛାଡ଼ିଥିବା ଜଣାଯାଇଛି।