ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଦୀର୍ଘ ଦିନ ହେଲା ଲାଗି ରହିଥିବା ସମସ୍ୟାର ସମାଧାନ ପାଇଁ ଅନୁଗୁଳ ଜିଲ୍ଲାର ଜନ ଜୀବନ ସୁରକ୍ଷା କମିଟି ପକ୍ଷରୁ ମଙ୍ଗଳବାର ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଜନ ଆନ୍ଦୋଳନ କରାଯାଇଛି।
ସୁରକ୍ଷା କମିଟିର ଦାବିଗୁଡ଼ିକ ମଧ୍ୟରେ ତାଳଚେର ମେଡ଼ିକାଲ କଲେଜକୁ ଅବିଳମ୍ବେ କାର୍ଯ୍ୟକ୍ଷମ କରିବା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ମେଡ଼ିକାଲ କଲେଜକୁ ଉନ୍ନତ କରିବା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଉପଖଣ୍ଡ ଡାକ୍ତରଖାନା, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରରେ ଖାଲି ପଡିଥିବା ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀ ପଦବୀ ପୂରଣ କରିବା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଥିବା ପୋଲଟ୍ରି ଫାର୍ମର ସମସ୍ତ ଜାଗାକୁ ଅନ୍ୟତ୍ର ସ୍ଥାନାନ୍ତର କରି ସେହି ଜାଗାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ହସ୍ତାନ୍ତର କରିବା, ପ୍ରଦୂଷଣ ବିଷ ବଳୟରେ ଜର୍ଜରିତ ଜିଲ୍ଲାର ସମସ୍ତ ଘରୋଇ ଉପଭୋକ୍ତାଙ୍କୁ ଦେୟମୁକ୍ତ ବିଜୁଳି ଯୋଗାଇ ଦେବା ଇତ୍ୟାଦି ରହିଛି।
ଏସବୁ ଦାବିଗୁଡି଼କ ଯଥା ଶୀଘ୍ର ପୂରଣ ନ ହେଲେ ଜାତୀୟ ରାଜପଥରେ ବିରାଟ ଆନ୍ଦୋଳନ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି।