ଅନୁଗୁଳ: ଅନୁଗୁଳ ରେଞ୍ଜ୍ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନର ମାଣିକିଯୋଡି ବିଟ୍ ଅଧୀନରେ ଥିବା ମାଣିକିଯୋଡି ସାହାରାସାହି ସ୍କୁଲଠାରେ ‘ପିପୁଲ୍ ଫର୍ ଆନିମଲ୍ସ’ ସଂଗଠନ ପକ୍ଷରୁ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ମଣିଷ ଓ ବନ୍ୟଜନ୍ତୁଙ୍କ ମଧ୍ୟରେ ସଂଘର୍ଷର କାରଣ ବୁଝାଇବା ଏବଂ ଫସଲ, ସମ୍ପତ୍ତି ତଥା ମୂଲ୍ୟବାନ ଜୀବନ ରକ୍ଷା ପାଇଁ ଗ୍ରାମବାସୀଙ୍କୁ ସଚେତନ କରାଇବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା।
ଏହି ଅବସରରେ ଉପସ୍ଥିତ ଗ୍ରାମବାସୀଙ୍କୁ ବନ୍ୟଜନ୍ତୁ ଚଳପ୍ରଚଳ ସମୟରେ ନିରାପଦ ରହିବାର ଉପାୟ, ସଠିକ୍ ସମୟରେ ବନ ବିଭାଗକୁ ଖବର ଦେବା ଏବଂ ପ୍ରକୃତି ସହ ସମନ୍ୱୟ ରକ୍ଷା କରି ଚଳିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦିଆଯାଇଥିଲା। ଗ୍ରାମବାସୀମାନେ ବନ୍ୟଜନ୍ତୁ ସଂରକ୍ଷଣ ଏବଂ ଶାନ୍ତିପୂର୍ଣ୍ଣ ସହଅବସ୍ଥାନ ପାଇଁ ନିଜର ପ୍ରତିବଦ୍ଧତା ପ୍ରକାଶ କରିବା ସହ ଆଲୋଚନାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ‘ପିପୁଲ୍ ଫର୍ ଆନିମଲ୍ସ’ର ଅଧ୍ୟକ୍ଷ ବିପ୍ଳବ ମହାପାତ୍ର, ଫରେଷ୍ଟର ଅଭିମନ୍ୟୁ ମାଝୀ, ବନରକ୍ଷୀ ଗୌରହରି ସେଠୀ, ଗଜସାଥୀ ସଦସ୍ୟବୃନ୍ଦ, ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି ମହତ କାର୍ଯ୍ୟ ପାଇଁ ସମସ୍ତ ‘ଗ୍ରୀନ୍ ୱାରିଅର୍ସ’ଙ୍କ ନିଷ୍ଠା ଓ କଠିନ ପରିଶ୍ରମ ପ୍ରଶଂସନୀୟ।


