ଅନୁଗୁଳ: ଅନୁଗୁଳ ଆଠମଲ୍ଲିକ ତହସିଲ ଅନ୍ତର୍ଗତ ଖଡରାପଡ଼ା ଓ ଟାଇଁସର ଗାଁରେ ମଙ୍ଗଳବାର ନୂଆ ମହାନଦୀ ବାଲି ସଇରାତ ଉତ୍ସ ପାଇଁ ପରିବେଶ ସମ୍ବନ୍ଧୀୟ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଉପଜିଲ୍ଲାପାଳ ତରଣୀ ସୁନା, ପ୍ରଦୂଷଣ ବୋର୍ଡ ଆଞ୍ଚଳିକ ଅଧିକାରୀ ଅନୁପ ମଲ୍ଲିକ ଓ ତହସିଲଦାର ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ପ୍ରଭାତ ରଞ୍ଜନ ବିଶ୍ୱାଳ ଏହି ଜନଶୁଣାଣିରେ ଉପସ୍ଥିତ ରହି ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣିଥିଲେ।
ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ପ୍ରଦୂଷଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଶ୍ରୀ ମଲ୍ଲିକ ଲୋକଙ୍କୁ ଉକ୍ତ ୨ ସଇରାତ ଉତ୍ସ ସମ୍ପର୍କରେ ଜନସାଧାରଣଙ୍କ ମତାମତ ଲୋଡ଼ିଥିଲେ। ଖଡରାପଡ଼ା ବାଲି ସଇରାତ ଉତ୍ସ ପାଇଁ ୧୨.୧୪୦ ହେକ୍ଟର ଓ ଟାଇଁସର ବାଲି ସଇରାତ ଉତ୍ସ ପାଇଁ ୧୯.୫୯୫ ହେକ୍ଟର ପାଇଁ ଜନଶୁଣାଣି ହୋଇଥିଲା। ଗ୍ରାମବାସୀଙ୍କ ଆପତ୍ତି ଅଭିଯୋଗକୁ ଭିଡିଓ ରେକର୍ଡ କରାଯାଇ ଭାରତୀୟ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗକୁ ମଞ୍ଜୁରୀ ପାଇଁ ପଠାଇବା ବ୍ୟବସ୍ଥା ରହିଛି। ସରକାରୀ ନିୟମ ମୁତାବକ, ୫ ହେକ୍ଟରରୁ ଅଧିକ ବାଲି ସଇରାତ ଉତ୍ସ ପାଇଁ ଜନଶୁଣାଣି ଆବଶ୍ୟକ ରହିଛି। ଆସନ୍ତା ୨୨ ତାରିଖରେ ନୀଳକଣ୍ଠପଡ଼ା ପାଇଁ ଜନଶୁଣାଣି କାର୍ଯ୍ୟକ୍ରମ ରହିଥିବା ଅତିରିକ୍ତ ତହସିଲଦାର ସୂଚନା ଦେଇଛନ୍ତି।