ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ସଭାଗୃହରେ ବ୍ଲକସ୍ତରୀୟ ମହାତ୍ମାଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଓ ପଞ୍ଚଦଶ ଅର୍ଥ କମିଶନ ଆର୍ଥିକ ବର୍ଷ ୨୦୨୨-୨୩ର ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଛି।
ଛେଣ୍ଡିପଦା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତ୍ରିବିକ୍ରମ କୁମୁରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜନ ଶୁଣାଣିରେ ଉପଜିଲ୍ଲାପାଳ ବୈତୁରା ଦୀପ, ବ୍ଲକ ଉପାଧ୍ୟକ୍ଷା ସୁମିତ୍ରା ସାହୁ, ଉପାଧ୍ୟକ୍ଷା ଝରଣା ସ୍ବାଇଁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ସାହୁ, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ରଞ୍ଜନ କୁମାର ସେଠୀ ଓ ବ୍ଲକ ଏପିଓ ସାଗରିକା ସାହୁ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ।
ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ୱାଗତ ଭାଷଣ ଦେଇଥିବାବେଳେ ମନରେଗା ଜନଶୁଣାଣିର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ପରେ ମନରେଗାର ସହକାରୀ କାର୍ଯ୍ୟକ୍ରମ ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ବୈତୁରା ଦୀପ ୨୦୨୨-୨୩ ଆର୍ଥିକ ବର୍ଷର କାର୍ଯ୍ୟ କରାଯାଇଥିବା ବିଭିନ୍ନ ପ୍ରକଳ୍ପର ବ୍ୟୟ ଅଟକଳ ଉପସ୍ଥାପନା କରିବା ସହିତ ମହାତ୍ମାଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ସମୀକ୍ଷା କରିଥିଲେ। ସମୀକ୍ଷା ବେଳେ ବହୁ ଅଧିକାରୀ ପଞ୍ଚାୟତ ସ୍ତରରେ ହେଉଥିବା ସୋସିଆଲ ଅଡିଟ ସମୟରେ ସଠିକ କାଗଜପତ୍ର ଦାଖଲ କରୁନଥିବାରୁ ଉପ ଜିଲ୍ଲାପାଳ ତାଗିଦ କରିଥିଲେ।
୨୦୨୨-୨୩ ଆର୍ଥିକ ବର୍ଷରେ ୨୯ କୋଟି ୧୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ୨୧୧୩ ଜଣଙ୍କୁ ୧୦୦ଦିନରେ କାମ ଯୋଗାଇ ଦିଆଯାଇଛି। ୧୯ହଜାର ୧୪୩ଟି ପରିବାରଙ୍କୁ ଗତ ଆର୍ଥିକ ବର୍ଷରେ କାମ ଯୋଗାଇ ଦିଆଯାଇଛି। ୩୪ଟି ପଞ୍ଚାୟତରେ ୧୭ କୋଟି ୧୭ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ବେଳେ ଛେଣ୍ଡିପଦା ପଞ୍ଚାୟତ ସମିତି ପକ୍ଷରୁ ବିଭିନ୍ନ ପଞ୍ଚାୟତଗୁଡିକରେ ୪ କୋଟି ୭୭ ଲକ୍ଷ ଟଙ୍କା ବନବିଭାଗ ପକ୍ଷରୁ ୯୭ ଲକ୍ଷ ୩୫ ହଜାର, ୱାଟର ସେଡ ବିଭାଗ ପକ୍ଷରୁ ୫ କୋଟି ୯୯ ଲକ୍ଷ ୭ ହଜାର ଟଙ୍କା, ହଟିକଲଚର ବିଭାଗ ପକ୍ଷରୁ ୧୯ ଲକ୍ଷ ୪୯ ହଜାର ଟଙ୍କା ଏହିପରି ଭାବେ ଖର୍ଚ୍ଚ କରାଯାଇଛି।
ଅନ୍ୟପଟେ ବିଭିନ୍ନ ପଞ୍ଚାୟତ ଗସ୍ତ କରି ଗତ ଆର୍ଥିକ ବର୍ଷରେ ହୋଇଥିବା ବିଭିନ୍ନ କାର୍ଯ୍ୟର ସମୀକ୍ଷା କରାଯାଉଥିବା ବେଳେ ୱାଟର ସେଡ ଓ ବହୁ ପଞ୍ଚାୟତରେ ନରେଗା ସମ୍ପର୍କିତ କୌଣସି କାଗଜପତ୍ର ପଇଠ କରିନଥିବାରୁ ଉପଜିଲ୍ଲାପାଳ ଅସନ୍ତୋଷ ପ୍ରକାଶ କରିଥିଲେ।
ଏହି ଶିବିରରେ ବ୍ଲକର ୩୪ ଟି ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକ, ସାମାଜିକ ସୁରକ୍ଷା ବିଭାଗ, ବନ ବିଭାଗ, ଉଦ୍ୟାନ ବିଭାଗ, ଜଳଛାୟା ପ୍ରକଳ୍ପ ବିଭାଗ ପ୍ରମୁଖ ଲାଇନ ଡିପାର୍ଟମେଣ୍ଟର ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ।