ଅନୁଗୁଳ ଜିଲ୍ଲାରେ ପଲ୍ସ ପୋଲିଓ ଟିକାକରଣ ଅଭିଯାନ ଆରମ୍ଭ

You are currently viewing ଅନୁଗୁଳ ଜିଲ୍ଲାରେ ପଲ୍ସ ପୋଲିଓ ଟିକାକରଣ ଅଭିଯାନ ଆରମ୍ଭ

ଅନୁଗୁଳ: ରବିବାର ଦିନ ସମଗ୍ର ଓଡ଼ିଶାରେ ୧୭ଟି ଜିଲ୍ଲା ଓ ଦୁଇଟି ମହାନଗରରେ ପଲ୍ସ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆୟୋଜିତ କାର୍ଯ୍ୟକ୍ରମକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମଦନମୋହନ ପ୍ରଧାନ ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଇ ଉଦ୍‌ଘାଟନ କରିଛନ୍ତି।ଜିଲ୍ଲାରେ ୦ରୁ ୫ ବର୍ଷ ବୟସ ଶିଶୁଙ୍କ ପାଇଁ ମୋଟ ୧ ଲକ୍ଷ ୧୩ ହଜାର ୭୮୦ ଜଣଙ୍କୁ ଟିକା ଦେବାର ଲକ୍ଷ୍ୟ ରଖାଯାଇଛି।

ଏଥିପାଇଁ ୫୯୭ଟି ବୁଥ୍, ୩୬ଟି ଟ୍ରାନଜିଟ୍ ଟିମ୍, ୧୯ଟି ଭ୍ରାମ୍ୟମାଣ ଟିମ୍, ୨୪୯୮ ଜଣ ଟିକାକର୍ମୀ ଓ ୧୧୭ ଜଣ ପରିଦର୍ଶକ ନିୟୋଜିତ ହୋଇଛନ୍ତି। ପ୍ରଥମ ଦିନ ବୁଥ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ୧୩ ଓ ୧୪ ତାରିଖରେ ଟିକାକର୍ମୀମାନେ ଘରକୁ ଘର ଯାଇ ଶିଶୁଙ୍କୁ ବୁନ୍ଦା ଖୁଆଇବେ। ଯାୟାବର, ବସ୍ତି ଅଞ୍ଚଳ ଓ ନିର୍ମାଣଧୀନ କାମରେ ନିୟୋଜିତ ଶ୍ରମିକଙ୍କ ଶିଶୁଙ୍କୁ ଅଧିକ ପ୍ରାଧାନ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ (ପରିବାର କଲ୍ୟାଣ) ଡା. ଅନ୍ତର୍ଯ୍ୟାମୀ ମିଶ୍ର, ଜିଲ୍ଲା ରୋଗ ନିୟନ୍ତ୍ରଣ ଅଧିକାରୀ, ଜିଲ୍ଲା ଯକ୍ଷ୍ମା ନିୟନ୍ତ୍ରଣ ଅଧିକାରୀ ଓ ସ୍ୱାସ୍ଥ୍ୟ ବିଭାଗର ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ଏହି ଅଭିଯାନ ପୋଲିଓ ନିର୍ମୂଳ ଲକ୍ଷ୍ୟରେ ମାଇଲଖୁଣ୍ଟ ସାବ୍ୟସ୍ତ କରିଛି।

Share

Leave a Reply