ଅନୁଗୁଳ: ସାମାନ୍ୟ ଏସି ପାଇଁ ପୁଣି ଗଲା ଜଣେ ନବବିବାହିତାର ଜୀବନ। ଅନୁଗୁଳ ଜିଲ୍ଲାରୁ ବଧୂ ହତ୍ୟା ନେଇ ଅଭିଯୋଗ ଆଣିଛନ୍ତି ମୃତ ଝିଅର ବାପା।
ସୂଚନା ମୁତାବକ, ଅନୁଗୁଳ ଜିଲ୍ଲା ବିକ୍ରମପୁର ଥାନା ଅନ୍ତର୍ଗତ ସାନ ଜୋରଡ଼ା ଗ୍ରାମର ଦୁଲ୍ଲଭ ସାହୁ ବୈଦିକ ରୀତିରେ ଜଗନ୍ନାଥପୁରର ବିଭୂତି ଭୂଷଣ ବେହେରାଙ୍କ ଝିଅ ଲିଜାକୁ ଚଳିତ ବର୍ଷ ଜାନୁଆରୀ ୨୭ ତାରିଖରେ ବିବାହ କରିଥିଲେ। ସବୁ କିଛି ଠିକ ଭାବରେ ଚାଲିଥିଲା। କିନ୍ତୁ ବିବାହର ଦୁଇ ମାସ ପରେ ଏସି ପାଇଁ ଲିଜାଙ୍କୁ ଶାଶୁ ଘର ଲୋକ ନିର୍ଯାତନା ଦେବାକୁ ଲାଗିଲେ।
ଦୁଲ୍ଲଭଙ୍କ ମାମୁଁ ପିଙ୍ଗୁଆ ଗ୍ରାମର ବିପିନ ରାଉତ ଲିଜାଙ୍କ ବାପାଙ୍କ ସହ ଝଗଡା କରିବାରୁ ସେ ଏସି ଦେବାକୁ ରାଜି ହୋଇଥିଲେ। କିନ୍ତୁ ଗତ କାଲି ଦିନ ୨.୩୦ ମିନିଟ ସମୟରେ ଲିଜାଙ୍କ ବାପାଙ୍କ ପାଖକୁ ସାନ ଜୋରଡ଼ାର ଜଣେ ବ୍ୟକ୍ତି ଫୋନ କରି ଜଣାଇଥିଲେ ଯେ ତୁମ ଝିଅର ମୃତ୍ୟୁ ହୋଇଛି। ବିଭୂତି ଝିଅ ଲିଜାକୁ ପ୍ରାୟ ୨୫ ଥର ଫୋନ କରିବା ପରେ ତାଙ୍କ ଦିଅର ଟୁନା ସାହୁ ଫୋନ ରିସିଭ କରିବା ସହିତ ତୁମ ଝିଅ ଆତ୍ମହତ୍ୟା କରିଛି ବୋଲି କହିଥିଲେ। ସଙ୍ଗେ ସଙ୍ଗେ ବିଭୂତି ଓ ତାଙ୍କ ପରିବାର ଲୋକ ଆସି ଦେଖିଲା ବେଳକୁ ଲିଜାଙ୍କ ମୃତ ଶରୀର ଘର ବାରଣ୍ଡାରେ ପଡିଥିଲା। ଏନେଇ ଲିଜାଙ୍କ ପରିବାର ଲୋକ ନିକଟସ୍ଥ ବିକ୍ରମପୁର ଥାନାରେ ଜଣାଇଥିଲେ।
ବିକ୍ରମପୁର ଥାନା ଅଧିକାରିଣୀ ସହିତ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ତଦନ୍ତ କରିବା ସହିତ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ତାଳଚେର ଉପଖଣ୍ଡ ଚିକିତ୍ସାଳୟ ନେଇଛନ୍ତି। ଏଥି ସହିତ ଲିଜାଙ୍କ ସ୍ୱାମୀ ଦୁଲ୍ଲଭ ସାହୁ, ଦିଅର ଟୁନା ସାହୁ, ଶାଶୁ ଆରତୀ ସାହୁକୁ ପୋଲିସ ଗିରଫ କରିଥିବା ବେଳେ ମାମୁଁ ବିପିନ ରାଉତ ଓ ଦୁଲ୍ଲଭଙ୍କ ଭିଣୋଇ ସ୍ୱପେଶ୍ୱର ବେହେରା ଫେରାର ଥିବା ଜଣାଯାଇଛି।