ହିଙ୍ଗୁଳା ପୀଠରେ ୧୨ ତମ ଜିଲ୍ଲାସ୍ତରୀୟ ପୁରାଣ ପ୍ରତିଯୋଗିତା ଆୟୋଜିତ, ଭାଗ ନେଲେ ଶତାଧିକ ପୁରାଣପ୍ରେମୀ

0

ତାଳଚେର: ରଜ ସଂକ୍ରାନ୍ତି ପାଳନ ଅବସରରେ ଶନିବାର ତାଳଚେର ଗୋପାଳପ୍ରସାଦସ୍ଥିତ ମା’ ହିଙ୍ଗୁଳା ପୀଠ ପରିସରରେ ୧୨ତମ ଜିଲ୍ଲାସ୍ତରୀୟ ପୁରାଣ ପ୍ରଶ୍ନୋତ୍ତର ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ମା’ ହିଙ୍ଗୁଳା ପୀଠ ଉନ୍ନୟନ ପରିଷଦ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ପରିଷଦର ସମ୍ପାଦକ ତଥା ଶିକ୍ଷାବିତ୍ ଜଗନ୍ ମୋହନ ଗଡନାୟକ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବରେ ଶିକ୍ଷାବିତ୍ ଡ.ପ୍ରଶାନ୍ତ କୁମାର ରଥ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବରେ ମା ହିଙ୍ଗୁଳା ପୀଠ ଉନ୍ନୟନ ପରିଷଦର ସଭାପତି ତଥା ବରିଷ୍ଠ ଶ୍ରମିକ ନେତା ସୌଭାଗ୍ୟ ଚନ୍ଦ୍ର ପ୍ରଧାନ, ଉତ୍କଳ ସମ୍ମିଳନୀ ଅନୁଗୋଳ ଶାଖା ସଂପାଦକ ଇଂ.ଧନେଶ୍ୱର ସାହୁ, ପ୍ରଧ୍ୟାପକ ବିଶ୍ୱରଞ୍ଜନ ପ୍ରଧାନ, “ପବିତ୍ର ପଥ”ପତ୍ରିକାର ସଂପାଦକ ସଦାନନ୍ଦ ପ୍ରଧାନ,ପୂର୍ବତନ ସରପଂଚ ପଠାଣି ବାରିହା, ଟ୍ରଷ୍ଟ ବୋର୍ଡ ସଦସ୍ୟ ରାଜେନ୍ଦ୍ର ସିଂହ, ଅରୁଣ କୁମାର ପ୍ରଧାନ, ସନ୍ତୋଷ କୁମାର ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ।

ପ୍ରତିଯୋଗିତାରେ ବଡଗୁଣ୍ଡୁରୀ, ଲକେଇପଶି, ଶାବଳଭଙ୍ଗା, ସାକସିଙ୍ଗା, ଡେରା, ଗୋବରା, ସାନତ୍ରିବିଡା, କଙ୍କିଳି, ପୁରିକିଆ, ସିରିଗିଡା, ସାନଯୋରଡା, ମାନପୁର, ଢେଙ୍କାନାଳ, ଇତି, ପାଲଲହଡା ପ୍ରମୁଖ ଚଉଦଟି ଦଳ ଅଂଶଗ୍ରହଣ କରିଥିଲେ। ବିଚାରକ ଭାବରେ ଗବେଷକ ବିଭୂତି ଭୁଷଣ ସାହୁ ଓ ମଂଚ ଅଭିନେତା ହେମନ୍ତ ଦାସ ଦାୟିତ୍ୱ ତୁଲାଇଥିବା ବେଳେ ଅରୁଣ କୁମାର ଗଡନାୟକ, ରାହାସ ଚନ୍ଦ୍ର ବିଶ୍ୱାଳ, ତ୍ରିନାଥ ସାହୁ, ସୁଶୀଲ କୁମାର ପ୍ରଧାନ, ଦିଲ୍ଲୀପ ଦାସ, ପ୍ରଦୀପ କୁମାର ପ୍ରଧାନ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ। ତ୍ରେତାନନ୍ଦ ସାମନ୍ତ, ସଂଯୁକ୍ତା ସାହୁ, ମାନସ ପ୍ରଧାନ ଓ ତ୍ରିନାଥ ସାହୁ ସ୍କୋରର୍ ଦାୟିତ୍ୱ ନିର୍ବାହ କରିଥିଲେ।

ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ସାକସିଙ୍ଗା, ଡେରା ଦ୍ୱିତୀୟ ସ୍ଥାନ ଓ ବଡଯୋରଡା ଦଳ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହି ଅବସରରେ ତାଳଚେରରୁ ପ୍ରକାଶିତ ସାହିତ୍ୟ ପତ୍ରିକା “ପବିତ୍ର ପଥ” ଓ ତ୍ରେତାନନ୍ଦ ସାମନ୍ତଙ୍କ ରଚିତ “ରାଣୀଗୋଡା ରାଜପୁତ୍ କ୍ଷତ୍ରୀୟମାନଙ୍କ ବଂଶାବଳୀ” ପୁସ୍ତକକୁ ଅତିଥିମାନେ ଉନ୍ମୋଚିତ କରିଥିଲେ । ସମାଜସେବୀ ବିଭୂତି ଭୂଷଣ ସ୍ୱାଇଁ, ଦିଲେଶ୍ୱର ସାମଲ, ହରେଶ କୁମାର ବେହେରା, ବିନୟ କୁମାର ସାମଲ, ଗୋବିନ୍ଦ ସାହୁ, ବାଉରୀବନ୍ଧୁ ସାମଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Leave A Reply

Your email address will not be published.

error: Content is protected !!