ରେଳୱେ ୱାଗନରେ ପାଲଭିଡାକୁ ନେଇ ରେଳ ରୋକ ଆନ୍ଦୋଳନ

You are currently viewing ରେଳୱେ ୱାଗନରେ ପାଲଭିଡାକୁ ନେଇ ରେଳ ରୋକ ଆନ୍ଦୋଳନ

ଅନୁଗୁଳ: ରେଳୱେ ୱାଗନ ଏବଂ ଟ୍ରକ୍‌ରେ ପାଲଭିଡ଼ା ନ ଦିଆଯିବାରୁ ଅଞ୍ଚଳରେ ପ୍ରଦୂଷଣ ବୃଦ୍ଧି ପାଉଥିବା ଅଭିଯୋଗ କରି ତାଳଚେର ମହାନଦୀ କୋଇଲା ଶ୍ରମିକ କଂଗ୍ରେସ ପକ୍ଷରୁ ସୋମବାର ରେଳରୋକ ଆନ୍ଦୋଳନ କରାଯାଇଛି। ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରାଜକିଶୋର ସାହୁ ବାରମ୍ବାର ସ୍ଥାନୀୟ ପ୍ରଶାସନ, ଜିଲ୍ଲା ପ୍ରଶାସନ, କୋଇଲା ଖଣି କର୍ତ୍ତୃପକ୍ଷ ଏବଂ ରେଳୱେ କର୍ତ୍ତୃପକ୍ଷଙ୍କ ନିକଟରେ ୱାଗନରେ ପାଲଭିଡ଼ା ପାଇଁ ଦାବି କରି ଆସୁଥିଲେ। କିନ୍ତୁ ଏଥିପ୍ରତି କେହି ଗୁରୁତ୍ୱ ନ ଦେବାରୁ ପ୍ରଦୂଷଣରେ ଅଞ୍ଚଳବାସୀ ଅସୁବିଧାର ସମ୍ମୁଖୀନ ହେଉଥିଲେ।

ଏହାକୁ ବିରୋଧ କରି ବାଧ୍ୟହୋଇ ସୋମବାର ୫୦୦ରୁ ଉର୍ଦ୍ଧ୍ୱ ଲୋକ ଘଣ୍ଟପଡ଼ା ରେଳୱେ କ୍ରସିଂ ଠାରେ ରେଳରୋକ ଆନ୍ଦୋଳନ କରିଥିଲେ। ଫଳରେ କୋଇଲା ବୋଝେଇ ଟ୍ରେନ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଘଟଣାସ୍ଥଳରେ ଏସ୍‌ଡିପିଓ ଭରତ ଚନ୍ଦ୍ର ସାହୁ ପହଞ୍ଚି ଆନ୍ଦୋଳନକାରୀମାନଙ୍କୁ ବୁଝାସୁଝା କରିଥିଲେ। ମଙ୍ଗଳବାର ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଏହି ସମ୍ପର୍କରେ ଏକ ବୈଠକ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ସ୍ଥଗିତ ରହିଛି।

ଏହି ସମୟରେ ପୂର୍ବତନ ଅଧ୍ୟକ୍ଷ ଦିଗାମ୍ବର ଗଡ଼ନାୟକ, ପୂର୍ବତନ ନଗରପାଳ କେଶବ ଭୂତିଆ, ସବିତାରାଣୀ ଧିର, ପ୍ରଭାତ ରଥ, ଜିନେଶ ସାହୁ, ସତ୍ୟବ୍ରତ ମହାନ୍ତି, ଶିବ ସନ୍ତୋଷ ସାହୁ, ସହଦେବ ସାହୁ, ସୁନିଲ ପାଣି, ବିଭୂତି ସାହୁ, ବୀରବର ସାହୁ, ଟିକନ ନାଏକ, ଦୀପକ ଚାନ୍ଦ, ବିକାଶ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply