ପୁଅକୁ ହରାଇ କୃଷ୍ଣ ଭକ୍ତିରେ ତଲ୍ଲୀନ ରଶ୍ମିତା, ନିଜ ଛୁଆ ଭଳି ଖୁଆଇବା ପିଆଇବା ସହ ସାଙ୍ଗରେ ଧରି ବୁଲୁଛନ୍ତି ବାଳ ଗୋପାଳଙ୍କୁ

You are currently viewing ପୁଅକୁ ହରାଇ କୃଷ୍ଣ ଭକ୍ତିରେ ତଲ୍ଲୀନ ରଶ୍ମିତା, ନିଜ ଛୁଆ ଭଳି ଖୁଆଇବା ପିଆଇବା ସହ ସାଙ୍ଗରେ ଧରି ବୁଲୁଛନ୍ତି ବାଳ ଗୋପାଳଙ୍କୁ

ଅନୁଗୁଳ: ଶ୍ରୀକୃଷ୍ଣଙ୍କୁ ନିଜ ପୁତ୍ରବତ୍ ସ୍ନେହ କରନ୍ତି। ଆଉ ବାଳଗୋପାଳଙ୍କୁ ନିଜ ସାଙ୍ଗେ ସାଙ୍ଗେ ରଖିଥାନ୍ତି। କୁନି ଛୁଆଙ୍କୁ ଯେମିତି ଦିନକୁ ତିନି ଥର କ୍ଷୀର, ପରିବା ଚକଟା ଆଉ ରୁଟି ଖୁଆଇ ଦିଅନ୍ତି, ମହାପ୍ରଭୁଙ୍କୁ ମଧ୍ୟ ସମାନ ଢଙ୍ଗରେ ଭୋଗ ଲଗାନ୍ତି ଆଉ ତା’ ପରେ ନିଜେ ଖାଦ୍ୟ ଗ୍ରହଣ କରନ୍ତି। ଏମିତି ଶ୍ରୀକୃଷ୍ଣଙ୍କ ପ୍ରେମରେ ଛନ୍ଦି ହୋଇଛନ୍ତି ତାଳଚେରର ବାଲୁଙ୍ଗାବାସୀ ମାଧବ ପ୍ରଧାନଙ୍କ ପତ୍ନୀ ରଶ୍ମିତା ପ୍ରଧାନ। ମା’ଟିଏ ଭଳି ସେ ଆଣ୍ଠୁଆ ଗୋପାଳଙ୍କୁ ନିଜ ପାଖେ ପାଖେ ରଖିବା ସହ ଯତ୍ନ ନିଅନ୍ତି। ଶ୍ରୀକୃଷ୍ଣଙ୍କ ପ୍ରତି ରଶ୍ମିତାଙ୍କ ଏଭଳି ଆବିଳ ମମତା ପଛରେ କାହାଣୀ କିନ୍ତୁ ବେଶ୍ ହୃଦୟଛୁଆଁ।

ଆଜକୁ ଛ’ ବର୍ଷ ତଳେ ଜନ୍ମାଷ୍ଟମୀ ଦିନ ତାଙ୍କର ଏକ ପୁଅ ଜନ୍ମ ହୋଇଥିଲା। ରାଜକୁମାର ଭଳି ହୋଇଥିବାରୁ ନାଁ ରଖିଥିଲେ ପ୍ରିନ୍ସ। କିନ୍ତୁ ବିଧାତାର ଇଚ୍ଛା କିଛି ଅଲଗା ଥିଲା। ମାତ୍ର ଦିନ କେଇଟା ପରେ ପ୍ରିନ୍ସ ଏକ ଦୁଃସାଧ୍ୟ ରୋଗରେ ଆର ପାରିକୁ ଚାଲିଗଲା। ଫଳରେ ଭାଙ୍ଗି ପଡ଼ିଥିଲେ ପୂରା ପରିବାର। ଆଉ ଏହା ଉପରେ ଆଉ ଏକ ବଡ଼ ପାହାଡ଼ ଭଳି ଦୁଃଖ ପାଲଟିଗଲା ରଶ୍ମିତାଙ୍କ ପୁଣି ମାତୃତ୍ୱକୁ ନେଇ ଡାକ୍ତରଙ୍କ ଆଶଙ୍କା। ଡାକ୍ତରଙ୍କ ନାସ୍ତିବାଚକ କଥା ଶୁଣି ପୂରା ପରିବାର ଗୋଟେ ପ୍ରକାରର ବିଷାଦଗ୍ରସ୍ତ ହୋଇପଡ଼ିଥିଲେ।

କିନ୍ତୁ ରଶ୍ମିତା ନିଜ ମନକୁ ଦୃଢ଼ କରିଥିଲେ ଆଉ ସେଇ ଦିନଠୁ ନିଜକୁ କୃଷ୍ଣଙ୍କ ମା’ ବୋଲି ମାନି ନେଇ ପୁଅ ଭଳି ସ୍ନେହ କରି ଚାଲିଥିଲେ ଠାକୁରଙ୍କୁ। ବାଳ କୃଷ୍ଣଙ୍କୁ ନିଜ ପୁଅ ବୋଲି ଭାବି ନେଇ ସେ ଘରେ ଦୈନିକ ପୂଜାର୍ଚ୍ଚନା ଆଉ ଭୋଗ ଲାଗି କରନ୍ତି। କଦଳୀ ନଡ଼ିଆ ନୁହେଁ, ବରଂ ଛୋଟ ପିଲା ଯାହା ଖାଏ ତାହା ସେ ତାକୁ ଦିଅନ୍ତି। ଦିନକୁ ତିନି ଥର ସେ ଖାଇବାକୁ ଦିଅନ୍ତି। ବାହାରକୁ ଗଲାବେଳେ ନିଜ ସନ୍ତାନକୁ ଧରି ଗଲା ଭଳି ବାଳ କୃଷ୍ଣଙ୍କ ପ୍ରତିମାକୁ ଧରି ଯାଆନ୍ତି। ଗତ ତିନି ବର୍ଷ ଧରି ସେ ଏମିତି କରି ଆସୁଛନ୍ତି। ଭାତଡାଲି ଚକଟା ଠାରୁ ଆରମ୍ଭ କରି ଛେନା, ରୁଟି, କ୍ଷୀର ଆଦି ସେ କୃଷ୍ଣଙ୍କୁ ଖାଇବାକୁ ଦିଅନ୍ତି।
ରଶ୍ମିତାଙ୍କ କୃଷ୍ଣ ଭକ୍ତି ପ୍ରମାଣ କରି ଦେଉଛି ଯେ ମା’ ସବୁବେଳେ ମା’ ତେଣିକି ସେ ମଣିଷର ହେଉ କି ଈଶ୍ବରଙ୍କର।

Share

Leave a Reply