ଅନୁଗୁଳ: ରାଷ୍ଟ୍ରୀୟ ନବ ବର୍ଷ ପାଳନ ସମିତି ଆନୁକୂଲ୍ୟରେ ବିଭିନ୍ନ ଆଧ୍ୟାତ୍ମିକ ତଥା ସାମାଜିକ ସଙ୍ଗଠନର ସହଯୋଗରେ ଏକ ମଟର ସାଇକେଲ ସଚେତନତା ରାଲି ସହର ପରିକ୍ରମା କରିଛି। ଏ ଅବସରରେ ଡାକ ବାଜି ଯନ୍ତ୍ର ସହାୟତାରେ ରାଷ୍ଟ୍ରୀୟ ନବ ବର୍ଷ ପାଳନ କରିବା ନିମନ୍ତେ ଲୋକଙ୍କୁ ସଚେତନ କରାଯାଇଥିଲା।
ଚୈତ୍ର ଶୁକ୍ଳ ପକ୍ଷ ପ୍ରତିପଦା ତଥା ଆସନ୍ତା ମାର୍ଚ୍ଚ ୨୨ ତାରିଖରେ ରାଷ୍ଟ୍ରୀୟ ନବ ବର୍ଷ ପାଳନ ନିମନ୍ତେ ସମସ୍ତ ପ୍ରସ୍ତୁତି ସରିଥିବା ନେଇ ସମିତି ତରଫରୁ ସୂଚନା ଦିଆଯାଇଛି। ଉକ୍ତ ଦିନ ସକାଳୁ ଭାରତର ପ୍ରତ୍ୟେକ ନାଗରିକ ଦୀପ ଜାଳି ଏହି ପବିତ୍ର ଦିବସକୁ ସ୍ବାଗତ କରିବା ପାଇଁ ସମିତି ଆହ୍ବାନ କରିଛି। ଏହି ଦିନ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ସମ୍ମୁଖ ସିଂହଦ୍ବାର ନିକଟରେ ଏକ ଧର୍ମସଭା ଅନୁଷ୍ଠିତ ହେବ। ଧର୍ମସଭାରେ ସମସ୍ତେ ଯୋଗଦେବା ନିମନ୍ତେ ସମିତି ତରଫରୁ ଅନୁରୋଧ କରାଯାଇଛି। ଏହି ରାଲିରେ ଅନୁଗୁଳ ଆଦିତ୍ୟ ବାହିନୀ, ଆନନ୍ଦ ବାହିନୀ, ପତଞ୍ଜଳି ଯୋଗ ସମିତି, ପ୍ରଜାପତି ବ୍ରହ୍ମ କୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ,ଭାରତ ସ୍ବାଭିମାନ ନ୍ଯାସ ଓ ଗାୟତ୍ରୀ ପରିବାରର ଶତାଧିକ ସଦସ୍ୟ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ରାଷ୍ଟ୍ରୀୟ ପାଳନ ସମିତିର ସଭାପତି ହେମନ୍ତ ଦାଶ, ସମ୍ପାଦକ ଦ୍ବାରିକା ପ୍ରସାଦ ନନ୍ଦ ଓ ସଂଯୋଜକ ପଣ୍ଡିତ ରୋହିତ ଦାଶ ସହଯୋଗ କରିଥିଲେ।