ଅନୁଗୁଳ: ରାଷ୍ଟ୍ରୀୟ ନବବର୍ଷ ପାଳନ ସମିତି ପକ୍ଷରୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ରାଷ୍ଟ୍ରୀୟ ନବବର୍ଷ ମହୋତ୍ସବ ପାଳିତ ହୋଇଛି। ଚୈତ୍ର ଶୁକ୍ଳପ୍ରତିପଦା ତିଥିକୁ ଭାରତୀୟ ରାଷ୍ଟ୍ରୀୟ ନବବର୍ଷ ଭାବେ ପାଳନ କରାଯାଉଛି।
ଏ ଅବସରରେ ସକାଳୁ ସୂର୍ଯ୍ୟ ପୂଜା ଓ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା। ପରେ ସନ୍ଧ୍ୟାରେ ଏକ ଧର୍ମ ସଭା ଅନୁଷ୍ଠିତ ହୋଇଥିଲା। ସମିତିର ସଭାପତି ହେମନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟଅତିଥି ଭାବେ ପୁରୀ ଗୋବର୍ଦ୍ଧନ ପୀଠ ସନାତନ ସନ୍ଥ ସମିତିର ସଂଯୋଜକ ସ୍ବାମୀ ସଚ୍ଚିଦାନନ୍ଦ ସରସ୍ୱତୀ ମହାରାଜ ଯୋଗ ଦେଇଥିବା ବେଳେ ଭୁବନେଶ୍ୱର ଏକାମ୍ର ମହାବିଦ୍ୟାଳୟର ପ୍ରାକ୍ତନ ପ୍ରାଧ୍ୟାପକ ଡଃ ଗୋପାଳ ପ୍ରସାଦ ମହାପାତ୍ର ମୁଖ୍ୟବକ୍ତା ଓ ପୁରୀ ଗୋବର୍ଦ୍ଧନ ପୀଠର ରାଷ୍ଟ୍ରୀୟ ମାର୍ଗଦର୍ଶକ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାରକ ପଣ୍ଡିତ ମାତୃ ପ୍ରସାଦ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
୧୯୭ କୋଟି ୨୯ ଲକ୍ଷ ୪୯ ହଜାର ୧୨୪ ବର୍ଷ ପୂର୍ତ୍ତି ପାଳନ କରାଯାଇଥିବା ନେଇ ସମିତି ସୂଚନା ପ୍ରଦାନ କରିଛନ୍ତି। ଆଜିର ଏହି ପବିତ୍ର ତିଥିରେ ବ୍ରହ୍ମାଙ୍କ ଦ୍ବାରା କାଳ ଗଣନା ଆରମ୍ଭ ହୋଇଥିଲା। ପ୍ରଭୁ ଶ୍ରୀରାମଙ୍କର ରାଜାଭିଷେକ ହୋଇଥିଲା। ଦେବୀ ଦୁର୍ଗାଙ୍କ ନବ ଦିନାତ୍ମକ ପୂଜା ଆରମ୍ଭ ହୋଇଥିଲା ବୋଲି ଅତିଥିମାନେ ସୂଚନା ପ୍ରଦାନ କରିଥିଲେ।ପରମ ପୂଜ୍ୟ ରାଷ୍ଟ୍ର ସନ୍ଥ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାଭାଗଙ୍କ ସଂକଳ୍ପ ଅନୁଯାୟୀ ଭାରତ ବର୍ଷ ହିନ୍ଦୁ ରାଷ୍ଟ୍ର ହେବା ସହିତ ଏସିଆ ମହାଦେଶକୁ ହିନ୍ଦୁ ମହାଦେଶ ଭାବରେ ଘୋଷଣା ହେବା ପର୍ଯ୍ୟନ୍ତ ଏ ସଂକଳ୍ପ ଯାତ୍ରା ଜାରି ରହିବ ବୋଲି ସମିତି ପ୍ରକାଶ କରିଛନ୍ତି।
କାର୍ଯ୍ୟକ୍ରମରେ ଆଦିତ୍ୟ ବାହିନୀ, ଆନନ୍ଦ ବାହିନୀ, ପତଞ୍ଜଳି ଯୋଗ ସମିତି, ବ୍ରହ୍ମକୁମାରୀ ପ୍ରଜାପିତା ଈଶ୍ବରୀୟ ବିଶ୍ବ ବିଦ୍ୟାଳୟ, ଗାୟତ୍ରୀ ପରିବାର, ସତ୍ୟ ସାଇ ସେବା ସଙ୍ଗଠନ, ଭାରତ ସ୍ବାଭିମାନ ନ୍ୟାସ, ଦିବ୍ୟ ଜୀବନ ସଂଘ ସହିତ ବହୁ ଆଧ୍ୟାତ୍ମିକ ଓ ସାମାଜିକ ଅନୁଷ୍ଠାନର ସଦସ୍ୟମାନେ ଯୋଗ ଦେଇଥିଲେ। ସମିତିର ସଂଯୋଜକ ପଣ୍ଡିତ ରୋହିତ ଦାଶ ସଭା ପରିଚାଳନା କରିଥିବା ବେଳେ ଶେଷରେ ସମିତିର ସମ୍ପାଦକ ଦ୍ବାରିକା ପ୍ରସାଦ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।