ଅନୁଗୁଳ: ସ୍ଥାନୀୟ ଜିନ୍ଦଲ ନଗର ପରିସରସ୍ଥ ଦେବଭୂମି ଶ୍ରୀଜଗନ୍ନାଥ ମନ୍ଦିର ଠାରେ ରଥଯାତ୍ରା ଅନୁଷ୍ଠିତ ହୋଇଛି। ଏ ଅବସରରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗ ଦେଇ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ବିଶ୍ବ ନିୟନ୍ତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଜିନ୍ଦଲ ନଗର ମଧ୍ୟରେ ଅବସ୍ଥିତ ଥିବା ମାଉସୀ ମା ମନ୍ଦିରକୁ ଟାଣି ନେଇଥିଲେ।
ମନ୍ଦିରର ଆଦ୍ୟ ସେବକ ଏବଂ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ସହ ଜେଏସପି ଫାଉଣ୍ଡେସନ ଅଧ୍ୟକ୍ଷା ଶାଲୁ ଜିନ୍ଦଲ ପହଣ୍ଡି ସେବା ଏବଂ ଛେରାପହଁରା ନୀତି ସଂପନ୍ନ କରିଥିଲେ।
ପ୍ରାତଃ ୪.୩୦ ଘଟିକାରୁ ପୁରୋହିତଙ୍କ ଦ୍ବାରା ଏକ ସ୍ବତନ୍ତ୍ର ପୂଜା ନୀତି ଯଥା- ମଣିମା ଡାକ, ଦ୍ବାର ଫିଟା, ମଙ୍ଗଳ ଆରତୀ, ମଇଲମ, ତଡ଼ପଲାଗି, ଅବକାଶ ନୀତି ଇତ୍ୟାଦି ସହିତ ଆରମ୍ଭ କରାଯାଇଥିଲା। ମନ୍ଦିରର ମୁଖ୍ୟ ପୁରୋହିତ ଶ୍ରୀକାନ୍ତଜୀଙ୍କ ପରାମର୍ଶ ଅନୁସାରେ ସମସ୍ତ କାର୍ଯ୍ୟ ସଂପନ୍ନ କରିଥିଲେ। ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ବାଳିକା ଏବଂ ମହିଳାମାନେ ଟାଣି ନେଇଥିଲେ।
ଉତ୍ସବରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ପରିଚାଳନା ନିର୍ଦ୍ଦେଶକ ବିମଳେନ୍ଦ୍ର ଝା ଓ ତାଙ୍କ ପତ୍ନୀ ସିପ୍ରା ଝା, ଅନୁଗୁଳ ପ୍ଳାଣ୍ଟ ମୁଖ୍ୟ ହୃଦୟେଶ୍ବର ଝା, ନିର୍ବାହୀ ନିର୍ଦ୍ଦେଶକ ଦାମୋଦର ମିତ୍ତଲ ଓ ତାଙ୍କ ପତ୍ନୀ ଅନିତା ମିତ୍ତଲ, ଅନ୍ୟାନ୍ୟ କର୍ମଚାରୀ ଏବଂ ତାଙ୍କ ପରିବାରବର୍ଗ ଉପସ୍ଥିତ ଥିଲେ। ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଦ୍ବାରା ୟୁଟ୍ୟୁବ ମାଧ୍ୟମରେ ଏହାର ସିଧା ପ୍ରସାରଣ କରାଯାଇଥିଲା।


