ଅନୁଗୁଳ: ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁଁ ପର୍ବ ପର୍ବାଣୀ ବନ୍ଦ ରହିବା ପରେ ଚଳିତ ବର୍ଷ ରଥ ଯାତ୍ରା ପାଇଁ ଭକ୍ତଙ୍କ ମଧ୍ୟରେ ବହୁ ଉତ୍ସାହ ଦେଖୀବାକୁ ମିଳିଥିଲା। ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ବଡି ଭୋର ସମୟରେ ଦ୍ୱାରା ଫିଟା, ମଙ୍ଗଳ ଆଳତି,ସୂର୍ଯ୍ୟପୂଜା, ସ୍ନାନ,ସକାଳ ଧୂପ, ସେନାପଟା ଲାଗି କରାଯାଇ ରଥରେ ଚାରମାଳ ଖଞ୍ଜା ଯାଇଥିଲା। ସକାଳ ସାଢେ ସାତଟା ସମୟରେ ଚାରି ଦିଅଁ ସୁଦର୍ଶନ,ବଳଭଦ୍ର ଶୁଭଦ୍ରା, ଜଗନ୍ନାଥଙ୍କୁ ପହଣ୍ଡି ରେ ନିଆଯାଇ ରଥା ରୂଢ କରାଯାଇଥିଲା। ସାଢ଼େ ବାରଟା ବେଳକୁ ଜିଲ୍ଳାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପହଞ୍ଚି ଛେରା ପହଁରା କାର୍ଯ୍ୟ ସମ୍ପାଦନ କରିଥିଲେ ଏବଂ ଏସପି ଜଗମୋହନ ମୀନା ତାଙ୍କୁ ଏଥିରେ ସହଯୋଗ କରିଥିଲେ। ଦିନ ପ୍ରାୟ ତିନିଟା ବେଳକୁ ରଥ ଟଣା ଆରମ୍ଭ ହୋଇଥିଲା। ଶଙ୍ଖ,ଘଣ୍ଟ, କାହାଳୀ ଏବଂ ନାମ ସଂକୀର୍ତ୍ତନ ମଧ୍ୟରେ ଭକ୍ତମାନେ ହଜାର ହଜାର ସଂଖ୍ୟାରେ ରଥକୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଟାଣିଥିଲେ। ସର୍ବଶେଷ ସମ୍ବାଦ ଅନୁସାରେ ରାତି ଆଠଟା ସୁଦ୍ଧା ତିନି ରଥ ଗୁଣ୍ଡିଚା ମଦିରରେ ପହଂଚିଯିବ ବୋଲି ଆଶା କରାଯାଉଛି। ପାଗ ଅନୁକୂଳ ହେତୁ ରଥ ଯାତ୍ରା ଦେଖିବାକୁ ସହରରେ ପ୍ରାୟ ପଚାଶ ହଜାର ଲୋକଙ୍କ ସମାଗମ ହୋଇଥିଲା। ଭିଡକୁ ନିୟନ୍ତ୍ରଣ କରିବାପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଥିଲା।ଅନ୍ୟ ପକ୍ଷରେ ମନ୍ଦିର କମିଟି ପକ୍ଷରୁ ଦେଢ଼ ଶହ ସେବାୟତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ଶୈଳ ଶ୍ରୀକ୍ଷେତ୍ର ଅନୁଗୁଳରେ ଘୋଷ ଯାତ୍ରା: ୫୦ ହଜାର ଭକ୍ତଙ୍କ ସମାଗମ
- Post published:July 1, 2022
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul