ତାଳଚେର: ତାଳଚେର ଥର୍ମାଲ ପାୱାର ଷ୍ଟେସନ(ଟିଟିପିଏସ) ବନ୍ଦ ନିଷ୍ପତ୍ତିକୁ ବିରୋଧ କରି ଦାୟର ମାମଲାର ଶୁଣାଣିରେ ହାଇକୋର୍ଟ ଅନ୍ତ ଘଟାଇଛନ୍ତି। ଏହି ପ୍ରସଙ୍ଗରେ କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ପ୍ରଦାନ କରିଥିବା ନିର୍ଦ୍ଦେଶରେ ହସ୍ତକ୍ଷେପ କରିବାକୁ ଜଷ୍ଟିସ ଅରିନ୍ଦମ ସିହ୍ନା ଓ ଜଷ୍ଟିସ ଏସ.କେ.ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମନା କରିଛନ୍ତି। ଏଥି ସହିତ ହାଇକୋର୍ଟ ଏନଟିପିସି ମେନ୍ସ କଂଗ୍ରେସ ସଭାପତି ରାମଚନ୍ଦ୍ର ଖୁଣ୍ଟିଆଙ୍କ ଆବେଦନର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଏନଟିପିସି ତରଫରୁ ଆଇନଜୀବୀ ଆଦିତ୍ୟ ନାରାୟଣ ଦାସ ମାମଲା ପରିଚାଳନା କରୁଥିଲେ।
ତାଳଚେରରେ ୧୯୬୮ରେ ଏଠାରେ ବିଦ୍ୟୁତ ଉତ୍ପାଦନ ଆରମ୍ଭ ହୋଇଥିଲା। ଏନଟିପିସିର ଅଂଶ ଥିବା ଟିଟିପିଏସର ଜୀବନ କାଳ ୨୦୨୧, ମାର୍ଚ୍ଚ ୩୧ରେ ପୂରୁଥିବା ବେଳେ ବେଳେ କିଛି ଦିନ ହେବ ଏଠାରେ ଏକ ପ୍ରକାର କାର୍ଯ୍ୟ ବନ୍ଦ ରଖାଯାଇଥିଲା ବୋଲି ସେତେବେଳେ ଅଭିଯୋଗ ହୋଇଥିଲା। ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ରେଗୁଲେଟୋରି କମିସନ୍ ନିୟମାବଳୀ ଅନୁସାରେ ଟିଟିପିଏସ୍ ଜୀବନକାଳ ମାର୍ଚ୍ଚ ୩୧ରେ ଶେଷ ହେଉଥିଲା। ଦେଶର ଏହି ପୁରାତନ ବିଦ୍ୟୁତ ଉତ୍ପାଦନ ପ୍ଲାଣ୍ଟ ବନ୍ଦ ନିଷ୍ପତ୍ତିକୁ କିନ୍ତୁ ବିରୋଧ କରାଯାଇଥିଲା। ଟିଟିପିଏସ୍ ବନ୍ଦ ଦ୍ବାରା ଏଠାରେ ଦୀର୍ଘ ବର୍ଷ ହେବ ନିୟୋଜିତ ନିୟମିତ ଶ୍ରମିକଙ୍କ ସହିତ ଠିକା ଶ୍ରମିକମାନେ ଅସୁବିଧାରେ ପଡ଼ିବେ। ଟିଟିପିଏସରୁ ୨୦୨୧, ମାର୍ଚ୍ଚ ୩୧ ତାରିଖରୁ ବିଜୁଳି ଉତ୍ପାଦନ ବନ୍ଦ ହୋଇ ଯାଇଥିଲେ ମଧ୍ୟ ପ୍ଲାଣ୍ଟକୁ ବିଧିବଦ୍ଧ ଭାବେ ବନ୍ଦ କରାଯାଇ ନଥିଲା। ପ୍ଲାଣ୍ଟ ବନ୍ଦ ପାଇଁ ଟିଟିପିଏସ୍ କର୍ତ୍ତୃପକ୍ଷ କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ପାଖରେ ଆବେଦନ କରିଥିଲେ। ଏହାପରେ କେନ୍ଦ୍ର ସରକାର ୨୦୨୧ ଜୁଲାଇ ୧୨ରେ ଟିଟିପିଏସ ବନ୍ଦ ସପକ୍ଷରେ ନିର୍ଦ୍ଦେଶନାମା ଜାରି କରିଥିଲେ। ୨୦୨୧, ଅଗଷ୍ଟ ୨୦ ତାରିଖରୁ ସବୁଦିନ ପାଇଁ ବନ୍ଦ କରିବାକୁ ଏନଟିପିସି କର୍ତ୍ତୃପକ୍ଷଙ୍କୁ ଅନୁମତି ମିଳିଥିଲା। ତେବେ ଶ୍ରମିକ ସଂଗଠନ ଏ ନେଇ ହାଇକୋର୍ଟରେ ମାମଲା ରୁଜୁ କରିଥିଲା। ହାଇକୋର୍ଟ ୨୦୨୧, ଅଗଷ୍ଟ ୨୪ରେ ମାମଲାର ଶୁଣାଣି କରି ବନ୍ଦ ଆଦେଶ ଉପରେ ୨୦୨୧, ଅକ୍ଟୋବର ୨୫ ତାରିଖ ପର୍ଯ୍ୟନ୍ତ ରହିତାଦେଶ ଜାରି କରିଥିଲେ। ଇତି ମଧ୍ୟରେ କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ପାଖରେ ଅନ୍ୟାନ୍ୟ ତଥ୍ୟ, ପ୍ରମାଣ ସହ ଆବେଦନ କରିବାକୁ ଆବେଦନକାରୀ ଶ୍ରମିକ ସଂଗଠନକୁ ହାଇକୋର୍ଟ କହିଥିଲେ। ଏହାପରେ କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ପକ୍ଷରୁ ମାମଲାର ପୁନଃ ଶୁଣାଣି କରାଯାଇଥିଲା। ଶେଷରେ ପ୍ଲାଣ୍ଟ ବନ୍ଦ ହେବା ସପକ୍ଷରେ ଶ୍ରମ ମନ୍ତ୍ରଣାଳୟ ରାୟ ଦେଇଥିଲା। ଏହା ବିରୋଧରେ ପୁଣି ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା।