ଅନୁଗୁଳ : ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ ‘ଭିବି-ଜି ରାମ ଜି’ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ କର୍ମଶାଳା ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକଙ୍କ ସଭାପତିତ୍ୱରେ ଶନିବାର ଅନୁଷ୍ଠିତ ହୋଇଛି। ଏହି କର୍ମଶାଳାରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ, ‘ଭିବି-ଜି ରାମ ଜି’ ମୋଦି ସରକାରଙ୍କ ଏକ ଯୁଗାନ୍ତକାରୀ ଯୋଜନା, ଯାହା ବିକଶିତ ଭାରତ ଗଠନ ପାଇଁ ଏକ ଦୃଢ଼ ମୂଳଦୁଆ ପକାଇବ। ଏହି ଯୋଜନା ଗ୍ରାମାଞ୍ଚଳର ଲୋକଙ୍କୁ ନିଶ୍ଚିତ ନିଯୁକ୍ତି ଗ୍ୟାରେଣ୍ଟି ପ୍ରଦାନ କରିବ ବୋଲି ସେ ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗଦେଇ ସୂଚନା ଦେଇଥିଲେ ଯେ, ପୂର୍ବରୁ ୧୦୦ ଦିନର ନିଯୁକ୍ତି ଗ୍ୟାରେଣ୍ଟି ଥିବା ବେଳେ ନୂତନ ଆଇନରେ ଏହାକୁ ୧୨୫ ଦିନକୁ ବୃଦ୍ଧି କରାଯାଇଛି। ଏଥିସହ ଶ୍ରମିକମାନଙ୍କ ମଜୁରୀ ଯେପରି ମାତ୍ର ସାତ ଦିନ ମଧ୍ୟରେ ପଇଠ ହେବ, ସେ ନେଇ ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ, ପ୍ରାକ୍ତନ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମିଶ୍ର ପ୍ରମୁଖ ଯୋଗଦେଇ ଭିବି-ଜି ରାମ ଜି ଯୋଜନାର ବିଭିନ୍ନ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।
ଜିଲ୍ଲା ସାଧାରଣ ସମ୍ପାଦକ ସୁଦୀପ ଗଡ଼ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କର୍ମଶାଳାରେ ସହ ସଂଯୋଜକ ଗୋପବନ୍ଧୁ ଗଡ଼ନାୟକ, ପ୍ରତ୍ୟୁଷ ପଣ୍ଡା ଓ ସରୋଜ କୁମାର ସାହୁଙ୍କ ସମେତ ସମସ୍ତ ଜିଲ୍ଲା ପଦାଧିକାରୀ, ମଣ୍ଡଳ ସଭାପତି ଏବଂ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।


