ଅନୁଗୁଳ: ପିଇବା ପାଣି ପାଇଁ ରାସ୍ତାରୋକ। ଖରାଦିନ ଆରମ୍ଭ ନ ହେଉଣୁ ପାନୀୟ ଜଳ ପାଇଁ ଲୋକେ ରାସ୍ତାରେ ବସିଛନ୍ତି। ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ଝାର ବଇଣ୍ଡା ଗ୍ରାମରେ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି, ଯାହା ପ୍ରଶାସନର ଅପାରଗତାକୁ ପଦାରେ ପକାଇ ଦେଇଛି।
ଆଜି ଝାର ବଇଣ୍ଡା ଗ୍ରାମର ମହିଳାମାନେ ଗରା ବାଲ୍ଟି ଧରି ସକାଳ ୯ଟାରୁ ପାଣି ପାଇଁ ଆଠମଲ୍ଲିକ ପୂର୍ତ୍ତ ବିଭାଗ ରାସ୍ତା ଅବରୋଧ କରିଥିଲେ। ଦୀର୍ଘ ୨ ଘଣ୍ଟା ଧରି ରାସ୍ତାରୋକ ଫଳରେ ଯାତ୍ରୀମାନେ ହୀନସ୍ତା ହୋଇଥିଲେ।
ମହିଳାଙ୍କ କହିବାନୁଯାୟୀ, ଝାର ବଇଣ୍ଡା ଗ୍ରାମରେ ବାସ କରୁଥିବା ୭୦ ପରିବାରକୁ ଜଳ ଯୋଗାଣ କରିବା ପାଇଁ ରାଜ୍ୟ ସରକାର ୨୦୧୨ ମସିହାରେ ୨୦ ଲକ୍ଷ ବ୍ୟୟରେ ଏକ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରିଥିଲେ। ହେଲେ ସେତେବେଳେ ଉକ୍ତ ପ୍ରକଳ୍ପର ମୁଖ୍ୟ ପାଇପଟି ଏକ ବେସରକାରୀ ଜମିରେ ନିଆ ଯାଇଥିବାରୁ ସମସ୍ୟା ଦେଖା ଦେଇଥିଲା। ସାମାନ୍ୟ ବିବାଦକୁ ନେଇ ମୁଖ୍ୟ ପାଇପକୁ ଜମିର ମାଲିକ ପ୍ରକଳ୍ପରୁ ଖୋଲି ଦେଇଥିଲେ। ଏଣୁ ୨୦୨୫ ଫେବ୍ରୁଆରୀ ୧୫ରୁ ଗାଁକୁ ପାନୀୟ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ରହିଛି।
ଏ ନେଇ ଅଞ୍ଚଳବାସୀ ବହୁବାର ଆଠମଲ୍ଲିକ ଜଳ ଯୋଗାଣ ବିଭାଗକୁ ଅଭିଯୋଗ କରିଥିଲେ ବି ସୁଫଳ ନ ମିଳିବାରୁ ପାଣି ଯୋଗାଣ ଦାବି ନେଇ ମହିଳାମାନେ ଆଜି ଗରା, ବାଲଟି ଧରି ବଇଣ୍ଡା– ଆଠମଲ୍ଲିକ ପୂର୍ତ୍ତ ବିଭାଗ ରାସ୍ତା ଅବରୋଧ କରି ଆନ୍ଦୋଳନ କରିଛନ୍ତି।
ଖବର ପାଇ ଠାକୁରଗଡ଼ ଆଇଆଇସି ନଟବର ନନ୍ଦ ପହଞ୍ଚି ମହିଳାଙ୍କୁ ବୁଝାସୁଝା କରିବା ସହ ଖୋଲା ଯାଇଥିବା ପାଇପିକୁ ମୁଖ୍ୟ ପ୍ରକଳ୍ପରେ ଲଗାଇବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଏ ନେଇ ଆଠମଲ୍ଲିକ ଜଳ ଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ ଆର ବେହେରାଙ୍କୁ ପଚାରିବାରୁ ସେ ପ୍ରସଙ୍ଗକୁ ଏଡ଼ାଇ ଦେଇଥିଲେ।