ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ସପ୍ତାହେ ବ୍ୟାପୀ ପାଳିତ ହେଉଥିବା ସଡ଼କ ସୁରକ୍ଷା ସପ୍ତାହ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନୁଗୁଳ ଆଞ୍ଚଳିକ ପରିବହନ ଅଧିକାରୀ ନିଖିଳ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ପୂର୍ବତନ ପ୍ରଫେସର ଡଃ କୁଳମଣି ନାଏକ ଯୋଗ ଦେଇଥିଲେ।
ଏ ଅବସରରେ କିଭଳି ସଡ଼କରେ ଗାଡି ଚାଳନା ସମୟରେ ବିଭିନ୍ନ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ହେବ, ହେଲମେଟ ସହିତ ସିଟ ବେଲ୍ଟ ପିନ୍ଧିବା, ଗାଡିର ଇନ୍ସୁରାନ୍ସ , ଫିଟନେସ, ସଡ଼କର ବିଭିନ୍ନ ଚିହ୍ନ ଦେଖି ଗାଡି ଚଳନା ଉପରେ ଧ୍ୟାନ ଦେବାକୁ କୁହାଯାଇଥିଲା। ସେହିପରି ଦୁର୍ଘଟଣାରେ ଆହତ ଲୋକଙ୍କୁ ରାସ୍ତାରେ ନ ଛାଡି ଗୋଲଡେନ ସମୟ ମଧ୍ୟରେ ଡାକ୍ତରଖାନାରେ ପହଞ୍ଚାଇବା ଭଳି ମହତ କାର୍ଯ୍ୟ ପାଇଁ ସରକାର ଆର୍ଥିକ ପ୍ରୋତ୍ସାହନ ଦେଉଥିବା ନେଇ ସୂଚନା ଦିଆଯାଇଥିଲା।
ଉଦଯାପନୀ ଉତ୍ସବରେ ସଡ଼କ ସୁରକ୍ଷା ସଚେତନତାରେ ଭାଗ ନେଇଥିବା କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିସହ ଲୋକଙ୍କ ଜୀବନ ରକ୍ଷା ପାଇଁ କିଛି ସମାଜସେବୀଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଏମ.ଭି.ଆଇ ବିଭୂରଞ୍ଜନ ନାଏକ, ଟ୍ରାଫିକ ଇନ୍ସପେକ୍ଟର ସୁମନ୍ତ ସେଠି, ବିଶିଷ୍ଠ ଅତିଥି ତଥା ସଡକ ସୁରକ୍ଷା କମିଟି ସଦସ୍ୟ ବରିଷ୍ଠ ସାମ୍ବାଦିକ ସଂଗ୍ରାମ ଦାସ ପ୍ରମୁଖ ଉପସ୍ଥିତ ଥିଲେ।











