ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ସଦରମହକୁମା ସ୍ଥିତ ଶିବମନ୍ଦିର ଛକ ନିକଟରେ ରବିବାର ଦିନ ଦ୍ୱିପ୍ରହରରେ ଖଣ୍ଡା ଏବଂ ବନ୍ଧୁକ ମୁନରେ ବେପାରୀଙ୍କ ଠାରୁ ୧୫ ଲକ୍ଷ ଟଙ୍କା ଲୁଟ ହୋଇଛି। ଏନେଇ ବେପାରୀ ଜଣକ ଥାନାରେ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ, ରବିବାର ପାଳଲହଡ଼ାରେ ସାପ୍ତାହିକ ହାଟ ଥିବାରୁ ସମ୍ବଲପୁର ଅଞ୍ଚଳର ବେପାରୀ ବଜରଙ୍ଗ ଅଗ୍ରୱାଲଙ୍କ ଦୁଇଜଣ କର୍ମଚାରୀ ଶ୍ୟାମ ପାଣ୍ଡେ ଏବଂ ମନୀଷ ତିୱାରୀ ବାକି ଟଙ୍କା ଆଦାୟ କରିବା ପାଇଁ ଏକ କାର ଯୋଗେ
ପାଳଲହଡା ଆସିଥିଲେ। ସେମାନେ ୧୫ ଲକ୍ଷ ଟଙ୍କା ଆଦାୟ କରି ସମ୍ବଲପୁର ଫେରୁଥିଲେ। ଅପରାହ୍ନ ସାଢ଼େ ୨ଟାରେ ସ୍ଥାନୀୟ ଶିବମନ୍ଦିର ଛକ ନିକଟ ଜାତୀୟ ରାଜପଥ ୪୯ କୁ ସଂଯୋଗ କରୁଥିବା ରାସ୍ତାରେ ଦୁଇଟି ମଟରସାଇକେଲ ଯୋଗେ ୫ ଜଣ ଦୁର୍ବୃତ୍ତ ଅତର୍କିତ ଭାବେ ଉକ୍ତ କାରକୁ ଅଟକାଇଥିଲେ। ସେମାନେ ଖଣ୍ଡା ଏବଂ ପିସ୍ତଲରେ ଦୁଇ ବେପାରୀଙ୍କୁ ଆକ୍ରମଣ କରି ଗାଡ଼ି ମଧ୍ୟରେ ଥିବା ୧୫ ଲକ୍ଷ ଟଙ୍କା ଲୁଟି ନେଇ ଦେବଗଡ଼ ପଟକୁ ଫେରାର ହୋଇ ଯାଇଥିବା ଦୁଇ କର୍ମଚାରୀ ଅଭିଯୋଗ କରିଥିଲେ।
ଲୁଟର ଶିକାର ହୋଇଥିବା ଦୁଇ କର୍ମଚାରୀଙ୍କ କହିବା ଅନୁଯାୟୀ, କିଛି ସ୍ଥାନୀୟ ଲୋକ ଦୁର୍ବୃତ୍ତଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥଲେ। ଖବର ପାଇ ପାଳଲହଡ଼ା ପୋଲିସ ପହଞ୍ଚିବା ସହ ଦୁର୍ବୃତ୍ତଙ୍କ ପିଛା କରିଥିଲେ ଏବଂ ଦେବଗଡ଼ ସୀମାନ୍ତରୁ ଜଣେ ସନ୍ଦିଗ୍ଧଙ୍କୁ ଧରିବା ସହ ଥାନାରେ ଅଟକ ରଖି ପଚରାଉଚୁରା ଚଳାଇଥିବା ଥାନା ଅଧିକାରିଣୀ ଅନୁରାଧା ମାର୍ଥା ସୂଚନା ଦେଇଛନ୍ତି। ଦୁଇ ଆହତ କର୍ମଚାରୀଙ୍କ ହାତ ଏବଂ ମୁଣ୍ଡରେ ଆଘାତ ଲାଗିଥିବାରୁ ସେମାନଙ୍କୁ ପାଳଲହଡ଼ା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇଛି।