ସରିଲା ଅନୁଗୁଳ ଜିଲ୍ଲା ମହୋତ୍ସବ: ତିନି ଦିନ ଧରି ମନଭରି ଝୁମିଲେ, ନାଚିଲେ ସହରବାସୀ

You are currently viewing ସରିଲା ଅନୁଗୁଳ ଜିଲ୍ଲା ମହୋତ୍ସବ: ତିନି ଦିନ ଧରି ମନଭରି ଝୁମିଲେ, ନାଚିଲେ ସହରବାସୀ

ଅନୁଗୁଳ: ସରିଲା ଜିଲ୍ଲା ମହୋତ୍ସବ। ଗତ ତିନି ଦିନ ଧରି ଅନୁଗୁଳରେ ଚାଲିଥିବା ଉତ୍ସବ ରବିବାର ଶେଷ ହୋଇଛି। ପ୍ରଶାସନ ଓ ସହରବାସୀଙ୍କ ସହଯୋଗରେ ସଫଳ ହୋଇଛି ୯ ମ ଅନୁଗୁଳ ଜିଲ୍ଲା ମହୋତ୍ସବ। ଏ ଅବସରରେ ଜିଲ୍ଲାର ସମସ୍ତ ବାସିନ୍ଦା ମନ ଭରି ଉପଭୋଗ କରିଥିବା ଦେଖିବାକୁ ମିଳିଛି।

ଦିନରେ ଚୈତ୍ରର ପ୍ରଚଣ୍ଡ ରୌଦ୍ରତାପ କିନ୍ତୁ ସନ୍ଧ୍ୟାରେ ବିଜୁଳିର ଚମକ। ପ୍ରକୃତିର ଏହି ବିରୋଧାଭାଷ ଭିତରେ ଶୁକ୍ରବାର ଉଦଘାଟିତ ହୋଇଥିଲା ନବମ ଅନୁଗୁଳ ଜିଲ୍ଲା ମହୋତ୍ସବ। ପ୍ରାଚୀନତା ଓ ନୂତନତ୍ୱର ଯୁଗଳବନ୍ଦୀ ଏବଂ ଜିଲ୍ଲା ପ୍ରଗତି ଓ ଉନ୍ନତିର ସୂଚୀପତ୍ରକୁ ଆଧାର କରି ଯୁବ ଜିଲ୍ଲାପାଳ ତଥା ସଂସ୍କୃତି ପରିଷଦର ଅଧ୍ୟକ୍ଷ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଅନୁଗୁଳବାସୀଙ୍କୁ ଭେଟି ଦେଇଥିଲେ ଆନନ୍ଦ ଉଲ୍ଲାସ ଭରା ଏଇ ସାଂସ୍କୃତିକ ମହୋତ୍ସବ।

ପ୍ରଥମ ସନ୍ଧ୍ୟାକୁ ବିଧାନସଭା ଉପବାଚସ୍ପତି ରଜନୀକାନ୍ତ ସିଂହ ଉଦଘାଟନ କରିଥିବା ବେଳେ ବଲିଉଡ୍ ଗାୟକ ଷ୍ଟେବିନ ବେନ୍, ଓଡ଼ିଆ ରକ୍ ଷ୍ଟାର ନବ୍ୟା ଜ୍ୟୋତି ଓ କମେଡିଆନ ନନ୍ ସେନ୍ସ ମଣି ଦର୍ଶକଙ୍କୁ ବିଭୋର କରିଥିଲେ। ଦ୍ଵିତୀୟ ସନ୍ଧ୍ୟାକୁ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁରେଶ ଚନ୍ଦ୍ର ଦଳେଇ ଉଦଘାଟନ କରିଥିବା ବେଳେ ବଲିଉଡ୍ ତାରକା ଯୋଡ଼ି ସଚେତ-ପରମ୍ପରା ତିରିଶ ହଜାର ଦର୍ଶକଙ୍କୁ ମତୁଆଲା କରିଥିଲେ। ଦର୍ଶକମାନେ ସିଟ ଛାଡ଼ି ଗୀତର ତାଳେତାଳେ ନାଚୁଥିବାର ଦେଖିବାକୁ ମିଳିଥିଲା। ସେହିପରି ଅନ୍ତିମ ସନ୍ଧ୍ୟାରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଇଣ୍ଡିଆନ ଆଇଡଲ୍ ଫାଇନାଲିଷ୍ଟ ସନ୍ମୁଖପ୍ରିୟା, ଓଡ଼ିଆ ରାପର ବିଗ ଡିଲ ଏବଂ ଅଭିଜିତ ମଜୁମଦାର ଷ୍ଟେଜ୍ ଦୁଲୁକେଇ ଦେଇଥିଲେ।

ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ତଥା ଜିଲ୍ଲାର ପଦସ୍ଥ ଅଧିକାରୀମାନଙ୍କ ସହାୟତାରେ ଏହି ମହୋତ୍ସବ ସଫଳ ହୋଇଛି। କ୍ରାନ୍ତିଙ୍କ ଇଭେଣ୍ଟ ମ୍ୟାନେଜମେଣ୍ଟ ଷ୍ଟେଜରେ ଶବ୍ଦ ଓ ଆଲୋକର ଯାଦୁଗରୀ ସ୍ପର୍ଶ ଦେଇଥିଲା। ଅନୁଗୁଳ ଜିଲ୍ଲାକୁ ଏକ ନୂତନ ସୋପାନକୁ ନେବା ପାଇଁ ଜିଲ୍ଲାପାଳ ଏବଂ ତାଙ୍କ ସହଯୋଗୀମାନେ ଅଙ୍ଗୀକାର ବଦ୍ଧ ଥିଲେ। ଅନୁଗୁଳ ବାସୀଙ୍କ ସମେତ ଜିଲ୍ଲା ବାହାରର ସହସ୍ରାଧିକ ଦର୍ଶକ ମହୋତ୍ସବକୁ ମନଭରି ଉପଭୋଗ କରିଥିବା ଦେଖିବାକୁ ମିଳିଥିଲା।

Share

Leave a Reply