ଅନୁଗୁଳ: ବାଜିରାଉତ ଛାତ୍ରାବାସ ପରିସରରେ ଆୟୋଜିତ ହେଉଥିବା ସର୍ବୋଦୟ ରେଡ଼ିଓର ପ୍ରଥମ ବାର୍ଷିକ ଉତ୍ସବର ଉଦଯାପନୀ ଦିବସରେ ଅନୁଗୁଳ ପୌରପାଳିକାର କାର୍ଯ୍ୟ ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଗତ ବର୍ଷ ଲକ୍ଷ୍ମଣ ଗୋଚ୍ଛାୟତ ନାମକ ଜଣେ ସଫେଇ କର୍ମଚାରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦେବା ବେଳେ ଯେଭଳି ତାଙ୍କୁ ନିଜ ଗାଡ଼ିରେ ବସାଇ ତାରକା ହୋଟେଲରେ ଖୁଆଇ ସମ୍ବର୍ଦ୍ଧିତ କରିଥିଲେ ତାହା ସେତେବେଳେ ସାରା ଓଡ଼ିଶାରେ ଚର୍ଚ୍ଚିତ ହୋଇଥିଲା।
ସର୍ବୋଦୟ ସମାଜ ଏହାକୁ ଉଚ୍ଚ ପ୍ରଶଂସା କରିବା ସହ ଆଜି ସେହି କାରଣରୁ ନିର୍ବାହୀ ଅଧିକାରୀ ଶ୍ରୀ ତ୍ରିପାଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଶିଷ୍ଟ ସର୍ବୋଦୟ ନେତ୍ରୀ ତଥା ଗାନ୍ଧୀବାଦୀ କ୍ରିଷ୍ଣା ମହାନ୍ତି,ରେଡ଼ିଓ କମିଟି ସଭାପତି ଡ଼ା ଧରଣୀଧର ନାଥ ପ୍ରମୁଖ ଶ୍ରୀ ତ୍ରିପାଠୀଙ୍କୁ ଉତ୍ତରୀୟ ଓ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମାରୋହରେ ଜିପି ସୁବାସ ସାହୁ, ଶିଶୁ ମଙ୍ଗଳ କମିଟି ସଦସ୍ୟ କଲ୍ୟାଣ କିଶୋର ମହାନ୍ତି, ସ୍ବେଚ୍ଛାସେବୀ ପର୍ଶୁରାମ ଦାଶ, ଆଦ୍ୟଶ୍ଲୋକ ମିଶ୍ର, ସୂର୍ଯ୍ୟ ନାରାୟଣ ନାଥ ପ୍ରମୁଖ ଉପସ୍ଥିତ ଥିଲେ ।


