ଅନ୍ତର୍ଜାତୀୟ ଆର୍ଦ୍ରଭୂମିର ମାନ୍ୟତା ପାଇଲା ସାତକୋଶିଆ

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ମହାନଦୀର ସାତକୋଶିଆ ଗଣ୍ଡ ଅନ୍ତର୍ଜାତୀୟ ସ୍ତରରେ ଏକ ପ୍ରାକୃତିକ ଆର୍ଦ୍ରଭୂମି ବା ରାମସର୍ ସାଇଟରେ ମାନ୍ୟତା ପାଇଛି। ଅଗଷ୍ଟ ୩ ତାରିଖରେ ବିଧିବଧ ଭାବେ କେନ୍ଦ୍ର ପରିବେଶ, ଜଂଗଲ ଓ ଜଳବାୟୁ ମନ୍ତ୍ରାଳୟ ଏହା ଘୋଷଣା କରିବା ପରେ ବିଭିନ୍ନ ପରିବେଶୀୟ ସଙ୍ଗଠନ ଓ ପ୍ରକୃତିପ୍ରେମୀ ଏହାକୁ ସ୍ବାଗତ କରିଛନ୍ତି। ଓଡିଶାରେ ପୂର୍ବରୁ ଚିଲିକା ହ୍ରଦ ଓ ଭିତରକନିକା ରାମସର୍ ସାଇଟର ମାନ୍ୟତା ପାଇଥିଲା। ସାତକୋଶିଆ ଗଣ୍ଡର ପ୍ରଭାହିତ ପ୍ରାକୃତିକ ଜଳ ଭଣ୍ଡାରର ଗୁରୁତ୍ବକୁ ଉପଲବଧି କରି ୨୦୧୪ ମସିହା ଠାରୁ ପ୍ରକୃତି ପରିବେଶ ଓ ବନ୍ୟଜୀବନ ସମିତି ଆର୍ଦ୍ରଭୂମିର ମାନ୍ୟତା ପାଇଁ ସରକାରୀ ସ୍ତରରେ ଅବଗତ କରାଇବା ସହିତ ବିଭିନ୍ନ ଉପାୟରେ ଦୃଢ ଦାବୀ କରି ଆସୁଥିଲା। ଦୀର୍ଘ ଦିନ ପରେ ଆନ୍ତର୍ଜାତୀୟ ଆର୍ଦ୍ରଭୂମିର ମାନ୍ୟତା ପାଇବା ଖବର ପାଇ ସମିତିର ସଂପାଦକ ପ୍ରସନ୍ନ କୁମାର ବେହେରା ଖୁସୀ ପ୍ରକାଶ କରିଛନ୍ତି। ଏଥିସହ ଜିଲ୍ଲା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ପ୍ରଦୀପ କୁମାର ସାହୁ, ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ସୁଶୀଲ୍ କୁମାର ପ୍ରଧାନ, ବନ୍ୟଜନ୍ତୁପ୍ରେମୀ ସୁବ୍ରତ କୁମାର ପ୍ରଧାନ ପ୍ରକୃତିପ୍ରେମୀ ବିରେନ୍ କୁମାର ପ୍ରଧାନ ପ୍ରମୂଖ ଘୋଷଣାକୁ ସ୍ବାଗତ କରିବା ସହ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗସହ କେନ୍ଦ୍ର ପରିବେଶ ଜଙ୍ଗଲ ଓ ଜଳବାୟୁ ମନ୍ତ୍ରାଳୟକୁ କୃତଜ୍ଞତା ଜଣାଇଛନ୍ତି।

ସୂଚନା ଯେ, ମହାନଦୀର ସାତକୋଶିଆ ଗଣ୍ଡର ଦୁଇ ପାର୍ଶ୍ବରେ ଉଚ୍ଚ ପର୍ବତମାଳା ଅନୁଗୁଳ ଜିଲ୍ଲାର ବିନିକେଇଠାରୁ କଟକ ଜିଲ୍ଲାର ବାଲିପୁଟ ପର୍ଯ୍ୟନ୍ତ ୨୨ କିଲୋମିଟର୍ ଦୈର୍ଘ୍ୟ ରହିଛି। ଏହି ୨୨ କିଲୋମିଟର ବା ୭ କୋଶ ଦୂରତା ମହାନଦୀର ପ୍ରସ୍ଥ ସଂକୀର୍ଣ୍ଣ ହୋଇ ଏକ ପ୍ରାକୃତିକ ଗଣ୍ଡ ସୃଷ୍ଟି ହୋଇଛି। ଏହି ଗଣ୍ଡରେ ପ୍ରଭାବିତ ଜଳ ବିଭିନ୍ନ ସ୍ଥାନରେ ୭୦ ରୁ ୮୦ ଫୁଟ୍ ପର୍ଯ୍ୟନ୍ତ ରହୁଥିବା ବେଳେ ଏହାର ଅକାତକାତ ଜଳରାଶି ପାଇଁ ପ୍ରାକୃତିକ ଶୋଭାବର୍ଦ୍ଧନ କରିଥାଏ। ମହାନଦୀର ସାତକୋଶିଆ ଗଣ୍ଡ ଏକ ମନଲୋଭା ସୌନ୍ଦର୍ଯ୍ୟ ଓ ଆକର୍ଷଣୀୟ ସ୍ଥାନ ଅଟେ। ସାତକୋଶିଆ ଗଣ୍ଡ ପୂର୍ବଘାଟ ପର୍ବତମାଳା ଏବଂ ଦାକ୍ଷିଣାତ୍ୟ ମାଳଭୂମିର ଏକ ଅପୂର୍ବ ମିଳନ ସ୍ଥାନ ଅଟେ। ପ୍ରଭାହିତ ବିସ୍ତୀର୍ଣ୍ଣ ଜଳ ଭଣ୍ଡାର ଏବଂ ଦୁଇ ପାର୍ଶ୍ବରେ ଘଞ୍ଚ ଜଙ୍ଗଲ ଉଭୟ ଜଳଚର ଓ ସ୍ଥଳଚର ବନ୍ୟଜନ୍ତୁଙ୍କର ନିରାପଦ ଆଶ୍ରୟ ସ୍ଥଳ ପାଲଟିଛି। ନଦୀର ଗଣ୍ଡରେ ଅତି ବିରଳ ଏବଂ ଆୟୁସିଏନ୍ ଦ୍ବାରା ଘୋଷିତ ସଙ୍କଟାପର୍ଣ୍ଣ ପ୍ରାଣୀ ତଥା ଭାରତ ସରକାରଙ୍କର ବନ୍ୟଜନ୍ତୁ ଆଇନର ତଫସିଲ୍ ଭୂକ୍ତ -୧ ପ୍ରଜାତିର ପ୍ରାଣୀ ଘଡିଆଳ କୁମ୍ଭୀର ଏଠାରେ ରହିଛନ୍ତି। ଅନୁରୂପ ଭାବରେ ଗଣ୍ଡରେ ମଗର କୁମ୍ଭୀର, ବିରଳ କାଠ କଇଁଛ ଓ ପ୍ରାୟଃ ୮୦ ପ୍ରକାରର ମାଛ ଜାତୀୟ ଜୀବ ଅଛନ୍ତି। ଗଣ୍ଡର ଦୁଇ ପାର୍ଶ୍ବ ଘଞ୍ଚ ଜଙ୍ଗଲରେ ହାତୀ, ବାଘ, ଗୟଳ, ନୀଳଗାଈ, ବଳିଆ କୁକୁର ଭଳି ବିରଳ ବନ୍ୟଜନ୍ତୁ ୩୧ ପ୍ରକାର ସ୍ତନପାୟୀ ପ୍ରାଣୀ ଅଛନ୍ତି। ଅଜଗର, ଅହିରାଜ୍ ଭଳି ୨୯ ପ୍ରକାର ସରୀସୃପ ଏବଂ ୧୦ ପ୍ରକାରର ଉଭୟଚର ପ୍ରାଣୀ ଅଛନ୍ତି। ପ୍ରତି ବର୍ଷ ଏହି ଜଳ ଭଣ୍ଡାରକୁ ବିଦେଶାଗତ ପକ୍ଷୀ ଆଗମନ କରିଥାନ୍ତି। ବ୍ରାହ୍ମଣୀ ଡକ୍, ରୁଢିସେଲଡକ୍, ଗଡୱାଲ୍, ଟଫଟେଡ୍, ପୋଚାଡ୍, ବ୍ଲାକ୍ ବିଲଡ୍ ଟେରାନ୍, ରିଭର୍ ଟେରାନ୍, ରିଭର୍ ଲାପଙ୍ଗ ଆସୁଥିବା ବେଳେ ଇଣ୍ଡିଆନ୍ ସ୍କିମର୍ ପକ୍ଷୀ ଏ ଅଞ୍ଚଳର ବିଶେଷ ଶୋଭାବର୍ଦ୍ଧନ କରିଥାଏ। ପ୍ରାୟ ୧ ହଜାର ପ୍ରକାରର ଗଛଲତା ଉଦ୍ଭିଦ, ଘାସ ଓ ଗୁଳ୍ମ ଏହି ଅଞ୍ଚଳକୁ ଏକ ଜୈବ ବିବିଧତା ପରିପୂର୍ଣ୍ଣ ଅଞ୍ଚଳର ମାନ୍ୟତା ଦେଇଛି। ପ୍ରାକୃତିକ ସୌନ୍ଦର୍ଯ୍ୟତା ଏବଂ ପରିସଂସ୍ଥାର ବ୍ୟାପକତା ଅନୂକୁଳ ପ୍ରଭାବ ବିଶ୍ବ ଦରବାରକୁ ପ୍ରଭାବିତ କରିଅଛି । ବିଶ୍ବସ୍ତରରେ ଏହାର ଗୁରୁତ୍ବ ସ୍ବତନ୍ତ୍ର ଭାବେ ସ୍ଥାନ ପାଇଛି । ଇତି ମଧ୍ୟରେ ଏହାର ଗୁରୁତ୍ବକୁ ନେଇ ରାଜ୍ୟ ସରକାର ସାତକୋଶିଆ ଅଭୟାରଣ୍ୟ, ମହାନଦୀ ହସ୍ତୀ ପ୍ରକଳ୍ପ, କୁମ୍ଭୀର ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିବା ବେଳେ ୨୦୦୭ ମସିହାରେ ଭାରତ ସରକାରଙ୍କର ଅନୁମୋଦନ କ୍ରମେ ରାଜ୍ୟ ସରକାର ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳ ଭାବେ ଘୋଷଣା କରିଛନ୍ତି।

Leave A Reply

Your email address will not be published.

error: Content is protected !!