ଅନୁଗୁଳ: ଅନୁଗୁଳ ବନଖଣ୍ଡ ଅନ୍ତର୍ଗତ ତାଳଚେର ବନ ରେଞ୍ଜ ପକ୍ଷରୁ ଏକ ପ୍ରଶଂସନୀୟ ପଦକ୍ଷେପ ସ୍ୱରୂପ ଏକ ଗୁରୁତର ଆହତ ମାଈ ମାଙ୍କଡ଼କୁ ଉଦ୍ଧାର କରାଯାଇଛି। ବନ କର୍ମଚାରୀଙ୍କ ଠିକଣା ସମୟରେ ପଦକ୍ଷେପ ଯୋଗୁଁ ମାଙ୍କଡ଼ଟିର ଜୀବନ ରକ୍ଷା ହୋଇପାରିଛି।
ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନରେ ବଅଁରପାଳ ସରକାରୀ ଡାକ୍ତରଖାନା ସମ୍ମୁଖରେ ଏକ ମାଈ ମାଙ୍କଡ଼ ଆହତ ଅବସ୍ଥାରେ ପଡ଼ିଥିବା ଦେଖି ସ୍ଥାନୀୟ ବାସିନ୍ଦା ତାଳଚେର ରେଞ୍ଜ ଅଫିସରଙ୍କୁ ଜଣାଇଥିଲେ। ଖବର ପାଇବା ମାତ୍ରେ ତାଳଚେର ରେଞ୍ଜ ଅଫିସର ଚାରୁଲତା ନାୟକଙ୍କ ନିର୍ଦ୍ଦେଶକ୍ରମେ ଫରେଷ୍ଟର କୁଶଧ୍ୱଜ ନାୟକ ଓ କ୍ଷେତ୍ର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।
ଅନୁଗୁଳ ବନଖଣ୍ଡର ମୋବାଇଲ୍ ଭେଟେରିନାରୀ ୟୁନିଟ୍ (MVU) ର ପ୍ରଦୀପ କୁମାର ସିଂହ ଓ ତାଙ୍କ ଟିମ୍ ଆହତ ମାଙ୍କଡ଼ଟିକୁ ସେଠାରେ ପ୍ରାଥମିକ ଚିକିତ୍ସା ପ୍ରଦାନ କରିଥିଲେ। ପରେ ତାକୁ ତାଳଚେର ରେଞ୍ଜ ଅଫିସ ପରିସରକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ବନ ବିଭାଗର କର୍ମଚାରୀଙ୍କ ପ୍ରତ୍ୟକ୍ଷ ନଜରରେ ମାଙ୍କଡ଼ଟିର ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖାଯାଇଛି।
ଏହି ଉଦ୍ଧାର କାର୍ଯ୍ୟରେ ରେଞ୍ଜ ଅଫିସର ଚାରୁଲତା ନାୟକଙ୍କ ସମେତ ଫରେଷ୍ଟର କୁଶଧ୍ୱଜ ନାୟକ, ଏଲିଫ୍ୟାଣ୍ଟ ସ୍କ୍ୱାଡ୍ର ସମୟ ମାଝୀ, ଗଜମିତ୍ର ରାକେଶ ମାଝୀ, ଚନ୍ଦନ ସାମଲ, ରଞ୍ଜିତ ସିଂହ ଏବଂ MVU ଓ RRT ଟିମ୍ ସାମିଲ ଥିଲେ। ବନ ବିଭାଗର ଏହି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଉଚ୍ଚ ପ୍ରଶଂସା କରାଯାଇଛି।


