୫୪ ବର୍ଷ ପରେ ମନେ ପଡିଲେ ସହିଦ ସୁଧାକର: ମିଳିଲା ଅନ୍ତର୍ଜାତୀୟ ମୁକ୍ତିଯୋଦ୍ଧା ସମ୍ମାନ

You are currently viewing ୫୪ ବର୍ଷ ପରେ ମନେ ପଡିଲେ ସହିଦ ସୁଧାକର: ମିଳିଲା ଅନ୍ତର୍ଜାତୀୟ ମୁକ୍ତିଯୋଦ୍ଧା ସମ୍ମାନ

ଅନୁଗୁଳ: ଆଜି ତାଳଚେର ଜେଲ ରୋଡ଼ସ୍ଥିତ ଏକ ଘରେ ଲାଗିଥିଲା ଅସମ୍ଭବ ଭିଡ। ଶହ ଶହ ଲୋକ ଶୋଭାଯାତ୍ରାରେ ମାଡି ଆସୁଥାନ୍ତି ସେ ଘର ଆଡକୁ। ବ୍ୟାଣ୍ଡରେ ଶୁଭୁଥିଲା ଦେଶାତ୍ମବୋଧକ ଗୀତର ସ୍ୱର। ଶୋଭାଯାତ୍ରାର ଆଗରେ ଥିଲେ ଜଣେ ସେନା ଅଧିକାରୀ ଏବଂ ଅନୁଗୁଳ ଡିଫେନ୍ସ ଭେଟେରାନ୍ସର ସଭାପତି ଅନିଲ ମହାନ୍ତି ଏବଂ ତାଙ୍କ ସାଥି। ଶୋଭାଯାତ୍ରା ଅଟକି ଗଲା ସେଇଠି ଯେଉଁଠି ରହୁଥିଲେ ସହିଦ ସୁଧାକର ବେହେରାଙ୍କ ପତ୍ନୀ ଉମାଦେବୀ।ଉମାଙ୍କୁ ବାହାଘରର ପାଞ୍ଚ ବର୍ଷ ହୋଇଥାଏ। ନବ ବଧୂର ଅନେକ ଆଶା ନେଇ ଖୁସିରେ ସମୟ କଟୁଥିଲା ତାଙ୍କର।

ହଠାତ ଖବର ଆସିଲା ସ୍ୱାମୀ ସୁଧାକର ମିତ୍ରବାହିନୀରେ ସାମିଲ ହୋଇ ପାକିସ୍ଥାନ ସୈନିକଙ୍କ ସାଙ୍ଗେ ଲଢ଼ିବା ପାଇଁ ସୀମାନ୍ତକୁ ଯିବେ। ଆଉ ସତକୁ ସତ ସୁଧାକର ସୀମାକୁ ଗଲେ ଆଉ ଫେରିଲେନି। ସହିଦ ହେବାର ଖବର ପହଞ୍ଚିଗଲା। ସେତେବେଳେ ସହିଦ ମାନଙ୍କୁ ଆଜିଭଳି ସମ୍ମାନକି ଆର୍ଥିକ ସହାୟତା ମିଳୁ ନଥିଲା। କିଛି ବର୍ଷ ପରେ ସହିଦ ସୁଧାକରଙ୍କୁ ଲୋକେ ଭୁଲି ଗଲେ। ୨୦୧୭-୧୮ ବାଂଲାଦେଶ ପ୍ରଧାନ ମନ୍ତ୍ରୀ ଶେଖ ହସିନାଙ୍କ ଭାରତ ଗସ୍ତ ବେଳେ ଯେଉଁ ମାନଙ୍କ ବଳି ଦାନ ଯୋଗୁଁ  ପାକିସ୍ଥାନ ୧୯୭୧ ଯୁଦ୍ଧରେ ହାରିଲା ଏବଂ ବାଂଲାଦେଶ ଜନ୍ମ ହେଲା ସେମାନଙ୍କୁ ତାଙ୍କ ଦେଶ ମୁକ୍ତିଯୋଦ୍ଧା
ସମ୍ମାନ ପ୍ରଦାନ କରିବ।

ଏହାପରେ ସେନାର ପୁରୁଣା ଦସ୍ତାବିଜରୁ ଖୋଜି ଖୋଜି ସହିଦ ମାନଙ୍କୁ ସମ୍ମାନିତ କରାଯାଉଛି। ଆଜି ସେନାର ଜଣେ ଅଧିକାରୀ ଆସି ସମାରୋହରେ ସୁଧାକରଙ୍କ ପତ୍ନୀ ଉମାଦେବୀଙ୍କୁ ବାଂଲାଦେଶର ମୁକ୍ତି ଯୋଦ୍ଧା ସମ୍ମାନର ସ୍ମୃତି ଫଳକ ଏବଂ ମାନପତ୍ର ପ୍ରଦାନ କରିଥିଲେ। ସମ୍ମାନ ପାଇ ବୀରନାରୀ ଉମାଙ୍କ ଆଖି ଛଳ ଛଳ ହୋଇଯାଇଥିଲା। ସୁଧାକରଙ୍କ ଘର ବନ୍ତଳା ପୋକତୁଙ୍ଗା ଗାଁରେ। କିନ୍ତୁ ତାଙ୍କ ପତ୍ନୀ ଏବେ ତାଳଚେରରେ ରହୁଛନ୍ତି।

Share

Leave a Reply