ଅନୁଗୁଳ: ବାଲେଶ୍ଵର ସାମ୍ପ୍ରଦାୟିକ ଦଙ୍ଗାରେ ଗିରଫ ହୋଇ ଜେଲରେ ଥିବା ୧୧୪ ଜଣ କଏଦୀଙ୍କ ମଧ୍ୟରେ ଶାନ୍ତି ଓ ସଦଭାବନାର ବାର୍ତ୍ତା ବାଣ୍ଟିବା ସହ ଜେଲରେ ନାଟକ ପ୍ରଦର୍ଶନ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲେଶ୍ଵର ଏଡିଏମ ସୁଧାକର ନାୟକଙ୍କ ନିମନ୍ତ୍ରଣକ୍ରମେ ଆଜି ଅନୁଗୁଳସ୍ଥିତ ବାଜି ରାଉତ ଛାତ୍ରାବାସର ସଦସ୍ୟ ବାଲେଶ୍ଵର ଗସ୍ତ କରିଛନ୍ତି।
ଏହି ଦଳରେ ରାଷ୍ଟ୍ରୀୟ ଯୁବା ସଂଗଠନ ଓ ବାଜି ରାଉତ ଛାତ୍ରାବାସର ଫୁଲଲତା ସେଠୀ, କର୍ମବୀର କଳ୍ପତରୁ ଦାସ, ଛୋଟରାୟ ମାଝୀ, ସୁବ୍ରତ ଦେହୁରୀ, ଶକ୍ତି ବେହେରା, ବିଜୟ ନାୟକ, ଲାଲକୃଷ୍ଣ ନାୟକ, ଚନ୍ଦନ ନାୟକ, ସବ୍ୟସାଚୀ ବେହେରା, ରମେଶ ଚନ୍ଦ୍ର ମାର୍ଡି, ସମୀର ନାୟକ, ଶିବା ଟୁଡୁ ପ୍ରମୁଖ ଅଛନ୍ତି।
ସୂଚନାଯୋଗ୍ୟ ଯେ ବାଲେଶ୍ଵର ସହରରେ ଗତ ଈଦ ଉଲ ଜୁହା ସମୟରେ ସଂଗଠିତ ହୋଇଥିବା ସାମ୍ପ୍ରଦାୟିକ ଦଙ୍ଗାକୁ ପ୍ରଶମନ କରିବାରେ ଅନୁଗୁଳର ବାଜି ରାଉତ ଛାତ୍ରାବାସ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଦଙ୍ଗା ବେଳେ ସହରରେ କର୍ଫ୍ୟୁ ଲାଗୁ ହୋଇଥିଲା। ଏହି ସମୟରେ ବାଜି ରାଉତ ଛାତ୍ରାବାସ ତଥା ଉତ୍କଳ ଗାନ୍ଧୀ ସ୍ମାରକ ନିଧି, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଉତ୍କଳ ସର୍ବୋଦୟ ମଣ୍ଡଳ, ରାଷ୍ଟ୍ରୀୟ ଯୁବା ସଂଗଠନ ପକ୍ଷରୁ ସେଠାକାର ଜିଲ୍ଲା ପ୍ରଶାସନକୁ ଶାନ୍ତି ସଦଭାବନା କାର୍ଯ୍ୟରେ ସହଯୋଗ ଦେବାକୁ ନିବେଦନ କରାଯାଇଥିଲା। ବାଲେଶ୍ଵର ଏସପି ସାଗରିକା ନାଥଙ୍କ ଆମନ୍ତ୍ରଣରେ ବାଜି ରାଉତ ଛାତ୍ରାବାସର ମୁଖ୍ୟ ପରାମର୍ଶଦାତ୍ରୀ କୃଷ୍ଣା ମହାନ୍ତି ଓ କାର୍ଯ୍ୟକାରିଣୀ ସମିତି ସଦସ୍ୟ ଡାକ୍ତର ବିଶ୍ଵଜିତଙ୍କ ନେତୃତ୍ଵରେ ଏକ ଶାନ୍ତି ଦଳ ସେଠାରେ ପହଞ୍ଚି ଉଭୟ ସମ୍ପ୍ରଦାୟ ମଧ୍ୟରେ ବାର୍ତ୍ତାଳାପ କରି ଲୋକଙ୍କୁ ବୁଝାଇଥିଲେ। ଏଥିସହ ଛାତ୍ରାବାସର ପିଲାମାନଙ୍କର ଏକ ଦଳ ସେଠାରେ ପହଞ୍ଚି ସପ୍ତାହେବ୍ୟାପୀ ସହରର ୨୯ଟି ସ୍ଥାନରେ ପଥପ୍ରାନ୍ତ ନାଟକ ‘ଗୋଟିଏ ଅଚିହ୍ନା ଶବ’ ପ୍ରଦର୍ଶିତ କରିବା ସହ ସର୍ବ ଧର୍ମ ପ୍ରାର୍ଥନା ସଭାମାନ ଆୟୋଜିତ କରିଥିଲେ।
ଉଲ୍ଲେଖଯୋଗ୍ୟ ଯେ, ଭଦ୍ରକ ଓ କନ୍ଧମାଳରେ ହୋଇଥିବା ଦଙ୍ଗା ସମୟରେ ମଧ୍ୟ ଛାତ୍ରାବାସ ଶାନ୍ତି ସଦଭାବନା କାର୍ଯ୍ୟ କରିଥିଲା।











