ଅନୁଗୋଳ: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିପ୍ଳବୀ ଜନନାୟକ ନବକୃଷ୍ଣ ଚୌଧୁରୀଙ୍କ ୧୨୫ତମ ଜନ୍ମଜୟନ୍ତୀ ଏବଂ ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ୭୧ତମ ଛାତ୍ର ପରିଷଦ ଉଦ୍ଘାଟନୀ ଉତ୍ସବ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ମୁଖ୍ୟ ଅତିଥି, ପ୍ରାକ୍ତନ ଅଧ୍ୟକ୍ଷ ଡଃ ଚୈତନ୍ୟ ସାହୁ ମୁଖ୍ୟବକ୍ତା ଏବଂ ଅବସରପ୍ରାପ୍ତ ବିଚାରପତି ଦୁର୍ଗାଶଙ୍କର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ଏହି ଅବସରରେ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ସ୍ୱତନ୍ତ୍ର ପତ୍ରିକା ‘ବର୍ଣ୍ଣାଳୀ’ ଓ ଫଟୋ ଗ୍ୟାଲେରୀ ‘ପ୍ରତିବିମ୍ବ’ ଉନ୍ମୋଚିତ ହୋଇଥିଲା। ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କୁ ସମ୍ବର୍ଦ୍ଧନା ଏବଂ ବିଭିନ୍ନ ପ୍ରତିଯୋଗିତାର କୃତୀ ଶିକ୍ଷାର୍ଥୀଙ୍କୁ ପୁରସ୍କୃତ କରାଯାଇଥିଲା। ସନ୍ଧ୍ୟାରେ ଡଃ ଚୈତନ୍ୟ ସାହୁଙ୍କ ରଚିତ ଏବଂ ସଂଗ୍ରାମ ପାଣିଗ୍ରାହୀ ଓ ପ୍ରତ୍ୟୁଷ ରଞ୍ଜନ ସାହୁଙ୍କ ନିର୍ଦ୍ଦେଶିତ ନବକୃଷ୍ଣ ଚୌଧୁରୀଙ୍କ ଜୀବନୀ ଆଧାରିତ ନାଟକ ‘ନବଚେତନା’ ମଞ୍ଚସ୍ଥ ହୋଇଥିଲା।
ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଆୟୋଜିତ ଏହି ଉତ୍ସବରେ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ ଅନୁଗୋଳର ବହୁ ବୁଦ୍ଧିଜୀବୀ ଯୋଗଦେଇଥିଲେ।















