ବିସଲେରୀ ପାଣିକୁ ନେଇ ବିବାଦ: ବ୍ରୋମେଟ୍ ଓ PAHs ମିଳିବା ନେଇ FSSAIର ଅଭିଯୋଗକୁ ଖଣ୍ଡନ କଲା କମ୍ପାନୀ

You are currently viewing ବିସଲେରୀ ପାଣିକୁ ନେଇ ବିବାଦ: ବ୍ରୋମେଟ୍ ଓ PAHs ମିଳିବା ନେଇ FSSAIର ଅଭିଯୋଗକୁ ଖଣ୍ଡନ କଲା କମ୍ପାନୀ

ଭୁବନେଶ୍ୱର: ଲୋକପ୍ରିୟ ପ୍ୟାକେଜ୍ଡ ପାଣି ବ୍ରାଣ୍ଡ ବିସଲେରୀକୁ ନେଇ ବିବାଦ ଦେଖାଦେଇଛି। ପାଣିର ନମୁନାରେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ବ୍ରୋମେଟ୍ ଓ ଅନ୍ୟ ରାସାୟନିକ ପଦାର୍ଥ ମିଳିଥିବା ଅଭିଯୋଗରେ FSSAI କମ୍ପାନୀ ବିରୋଧରେ ମାମଲା ଚଳାଇବାକୁ ଅନୁମତି ଦେଇଛି। ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛି ବିସଲେରୀ।

ସୂଚନା ଅନୁଯାୟୀ, ୨୦୨୫ ସେପ୍ଟେମ୍ବରରେ ଗୋଆସ୍ଥିତ ବିସଲେରୀ କାରଖାନାରୁ FSSAI ୬ଟି ପାଣି ନମୁନା ସଂଗ୍ରହ କରିଥିଲା। ପ୍ରଥମ ପରୀକ୍ଷାରେ ୫ଟି ନମୁନା ମାନଦଣ୍ଡ ପୂରଣ କରିଥିବା ବେଳେ ଗୋଟିଏ ନମୁନାରେ ଲିଟର ପ୍ରତି ୧୨ ମାଇକ୍ରୋଗ୍ରାମ୍ ବ୍ରୋମେଟ୍ ମିଳିଥିଲା। ଏହାର ନିର୍ଦ୍ଧାରିତ ସୀମା ୧୦ ମାଇକ୍ରୋଗ୍ରାମ୍।

ପରବର୍ତ୍ତୀ ସମୟରେ ରେଫରାଲ୍ ଲାବୋରେଟୋରିରେ ପୁନଃପରୀକ୍ଷା କରାଯାଇଥିଲା। ଏଥିରେ ବ୍ରୋମେଟ୍ ମାତ୍ରା ସୀମା ମଧ୍ୟରେ ଥିବା ଜଣାପଡ଼ିଥିଲେ ମଧ୍ୟ PAHs ନାମକ ରାସାୟନିକ ପଦାର୍ଥ ମିଳିଥିବା ରିପୋର୍ଟରେ ଦର୍ଶାଯାଇଥିଲା। ଏହାକୁ ନେଇ FSSAI ନମୁନାକୁ ଅସୁରକ୍ଷିତ ଘୋଷଣା କରିଛି।

ଅନ୍ୟପଟେ, ବିସଲେରୀ ନିଜସ୍ୱ ଉଦ୍ୟମରେ FSSAI ଅନୁମୋଦିତ ଏକ ସ୍ୱାଧୀନ ଲାବୋରେଟୋରିରେ ପରୀକ୍ଷା କରାଇଥିବା ଏବଂ ସେଠାରେ ବ୍ରୋମେଟ୍ ମାତ୍ରା ନିର୍ଦ୍ଧାରିତ ସୀମା ଭିତରେ ଥିବା ଦାବି କରିଛି। ଏହାର ରିପୋର୍ଟ ୨୦୨୬ ଫେବ୍ରୁଆରୀ ୨ରେ FSSAIକୁ ପଠାଯାଇଥିବା କମ୍ପାନୀ କହିଛି।

କମ୍ପାନୀର ଦାବି, ଏହାର ଉତ୍ପାଦନ ପ୍ରକ୍ରିୟାରେ ୧୦ଟି ପର୍ଯ୍ୟାୟରେ ୯୦ରୁ ଅଧିକ ଗୁଣବତ୍ତା ପରୀକ୍ଷା କରାଯାଏ। ତେବେ FSSAI ନିଜ ରିପୋର୍ଟ ଆଧାରରେ ଆଇନଗତ ପ୍ରକ୍ରିୟା ଆଗକୁ ବଢ଼ାଇଛି।

ଏହି ଘଟଣା ପରେ ବୋତଲ ପାଣିର ଗୁଣବତ୍ତା ଓ ପରୀକ୍ଷା ରିପୋର୍ଟର ସଠିକତାକୁ ନେଇ ପ୍ରଶ୍ନ ଉଠିଛି। ଗୋଟିଏ ନମୁନାର ଭିନ୍ନ ଭିନ୍ନ ପରୀକ୍ଷାରେ ଅଲଗା ରିପୋର୍ଟ କାହିଁକି ଆସିଲା? ଏହାର ସ୍ପଷ୍ଟତା କେବେ ମିଳିବ? ଏବେ ଏହି ପ୍ରଶ୍ନର ଉତ୍ତରକୁ ଅପେକ୍ଷା କରିଛନ୍ତି ଗ୍ରାହକ।

Share

Leave a Reply