ଅନୁଗୁଳ: ଜିଲ୍ଲାପାଳ ସାର! ଗୋଟେ ଜୀବନସାଥୀ ଖୋଜିଦିଅନ୍ତୁ ପ୍ଲିଜ। ଅନୁଗୁଳ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ବେଳେ ଏଭଳି ଆବେଦନ କରିଛନ୍ତି ଜଣେ ଦିବ୍ୟାଙ୍ଗ ଯୁବକ।
ସୂଚନା ଅନୁସାରେ, ସ୍ଥାନୀୟ ଛେଣ୍ଡିପଦା ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟ ଠାରେ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଚାଲିଥିଲା। ଏହି ଶୁଣାଣି ବେଳେ ନୂଆଁପଡା ଗାଁର ମୁରଲୀଧର ମହାପାତ୍ରଙ୍କ ସାନ ପୁଅ ସଞ୍ଜୀବ ମହାପାତ୍ର ଅଭିଯୋଗ ନେଇ ଆସିଥିଲେ। କିନ୍ତୁ ସେ ଜିଲ୍ଲାପାଳଙ୍କୁ ଏକ ଅଜବ ଅଭିଯୋଗ କରିଥିଲେ । ସେ ତାଙ୍କ ଦରଖାସ୍ତରେ ନିଜେ ଭିନ୍ନକ୍ଷମ ହୋଇଥିବା ବେଳେ ବାପା-ମା ବୃଦ୍ଧ ହୋଇ ଯାଇଛନ୍ତି ଏବଂ ବଡ ଭାଇ ଅଲଗା ରହୁଥିବାରୁ ତାଙ୍କ ଚଳଣିରେ ଅସୁବିଧା ହେଉଛି ବୋଲି ଜଣାଇଥିଲେ। ଏଣୁ ତାଙ୍କର ଜୀବନ ସାଥୀ ନିହାତି ଆବଶ୍ୟକ ବୋଲି ଗୁହାରି କରିଥିଲେ। ତେବେ ସେ ଭିନ୍ନକ୍ଷମ ଯୋଗୁଁ ତାଙ୍କୁ କେହି ଝିଅ ଦେଉ ନାହାନ୍ତି, ଏଣୁ ସେ ଜିଲ୍ଲାପାଳ ଜୀବନସାଥୀ ଯୋଗାଡ଼ କରି ଦେଲେ ସେ ଉପକୃତ ହେବେ ବୋଲି ନିବେଦନ କରିଛନ୍ତି। ଏହି ଘଟଣା ଆଜି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାରେ ରହିଛି।


