ଅନୁଗୁଳ: ରାଷ୍ଟ୍ରୀୟ ଗାନ୍ଧୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି କୃଷ୍ଣା ମହାନ୍ତି। କୃଷ୍ଣା ମହାନ୍ତି ହେଉଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ତଥା ବିପ୍ଳବିଣୀ ମାଳତୀ ଚୌଧୁରୀଙ୍କ ସୁକନ୍ୟା ତଥା ବିଶିଷ୍ଟ ସର୍ବୋଦୟ ନେତ୍ରୀ। ତାଙ୍କୁ ରାଷ୍ଟ୍ରୀୟ ସ୍ତରରେ ଗାନ୍ଧୀ ଓ ସର୍ବୋଦୟ ବିଚାରର ସର୍ବୋଚ୍ଚ ସଂଗଠନ ସର୍ବ ସେବା ସଂଘ (ଅଖିଳ ଭାରତ ସର୍ବୋଦୟ ମଣ୍ଡଳ) ପକ୍ଷରୁ ୨୦୨୩ ଆର୍ଥିକ ବର୍ଷ ନିମନ୍ତେ ରାଷ୍ଟ୍ରୀୟ ଗାନ୍ଧୀ ପୁରସ୍କାର ଦିଆଯାଇଛି।
ତାଙ୍କୁ ଅନୁଗୁଳ ସ୍ଥିତ ବାଜି ରାଉତ ଛାତ୍ରାବାସ ପରିସରରେ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ଏହି ପୁରସ୍କାରରେ ଏକ ଲକ୍ଷ ଟଙ୍କାର ସମ୍ମାନ ରାଶି, ମାନପତ୍ର ତଥା ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ସହ ଦିନେ ସେବାଗ୍ରାମ ଆଶ୍ରମରେ ପ୍ରାତଃଭ୍ରମଣରେ ଯାଇଥିବା ବାଳିକା କୃଷ୍ଣାଙ୍କର ଏକ ତୈଳଚିତ୍ର ପ୍ରଦାନ କରାଯାଇଛି।
ସମାଜ ସେବା ହେଉଛି କୃଷ୍ଣା ମହାନ୍ତିଙ୍କର ନିଶା। ସ୍ବାଧୀନତା ସଂଗ୍ରାମୀ ପରିବାରରୁ ଆସିଥିବା ସମାଜସେବୀ କୃଷ୍ଣା ମହାନ୍ତିଙ୍କର କେବଳ ସମାଜ ସେବା ନୁହେଁ ଅନୁବାଦ ସାହିତ୍ୟରେ ମଧ୍ୟ ଅନେକ କୃତୀ ରହିଛି। କୃଷ୍ଣା ମହାନ୍ତିଙ୍କ ଜୀବନର ଅଧିକାଂଶ ସମୟ କଟିଛି ଅନୁଗୁଳରେ। ଅନୁଗୁଳର ବାଜି ରାଉଜ ଛାତ୍ରାବାସରେ ରହି ସେ ଶିକ୍ଷା ଗ୍ରହଣ କରିବାଠାରୁ ଆରମ୍ଭ କରି ପରବର୍ତ୍ତୀ ସମୟରେ ସେ ଛାତ୍ରାବାସର ସଭାପତି, ସମ୍ପାଦକ ଭାବେ ନିର୍ବାଚିତ ହୋଇ ଏହାର ପରିଚାଳନା ଦାୟିତ୍ଵ ତୁଲାଇଛନ୍ତି।
ପ୍ରଖ୍ୟାତ ଗୁଜରାଟୀ ଲେଖକ ନାରାୟଣ ଦେଶାଇଙ୍କ ‘ସନ୍ଥ ସେୱତାଁ ସୁକୃତ ୱାଧେ’ ପୁସ୍ତକର ଓଡ଼ିଆ ଅନୁବାଦ କରିଥିଲେ, ଯାହାର ନାଁ ଥିଲା ‘ଅମୃତ ପରଶ’। ଏହାବ୍ୟତୀତ ସେ ଇଂରାଜୀ, ହିନ୍ଦୀ ଓ ବଙ୍ଗଳାରୁ କେତେକ ପ୍ରବନ୍ଧ, ଗଳ୍ପ ଓଡ଼ିଆରେ ଅନୁବାଦ କରିଛନ୍ତି।