ଅନୁଗୁଳ: ପୋଲିସ ବିଭାଗରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀଙ୍କୁ ନିର୍ଯାତନା ଏବଂ ପ୍ରାଶାସନିକ ଅବହେଳାକୁ ନେଇ ଅନୁଗୁଳ ଜିଲ୍ଲାରେ ଏବେ ରାଜନୈତିକ ଉଷ୍ଣତା ପ୍ରକାଶ ପାଇଛି। ଗତ କିଛି ଦିନ ତଳେ ଅନୁଗୁଳ ଜିଲ୍ଲା ମହିଳା ପୋଲିସ ଥାନାରେ ହାବିଲଦାର ଭାବେ କାର୍ଯ୍ୟରତ ସୁମିତ୍ରା ବିଶ୍ୱାଳଙ୍କୁ ହାବିଲଦାର ଶୁଭକାନ୍ତ ସାହୁ ଏବଂ ରିଜର୍ଭ ପୋଲିସ ଅଧିକାରୀ ଗୋବିନ୍ଦ ମାହାରୀ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିବା ନେଇ ସେ ଗୁରୁତର ଅଭିଯୋଗ ଆଣିଥିଲେ। ନ୍ୟାୟ ଆଶାରେ ସୁମିତ୍ରା ବାରମ୍ବାର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ (ଏସପି)ଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଶେଷରେ ପ୍ରଶାସନର ଏଭଳି ବେପରୁଆ ମନୋଭାବ ଓ ତଦନ୍ତରେ ବିଳମ୍ବକୁ ସହି ନପାରି ସେ ନିଜ ଚାକିରିରୁ ଇସ୍ତଫା ପ୍ରଦାନ କରିଥିଲେ।
ରାଜ୍ୟ ସରକାର ଏବଂ ପୋଲିସ ପ୍ରଶାସନର ଏହି ଦାୟିତ୍ୱହୀନତାକୁ ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳ ଦୃଢ଼ ଭାବେ ନିନ୍ଦା କରିଛି। ପୀଡ଼ିତା ସୁମିତ୍ରା ବିଶ୍ୱାଳଙ୍କୁ ନ୍ୟାୟ ପ୍ରଦାନ କରିବା ଦାବିରେ ଆଜି ଅନୁଗୁଳ ସଦର ଠାରେ ଜିଲ୍ଲା ବିଜୁ ଜନତା ଦଳ ଏବଂ ବିଜୁ ମହିଳା ଜନତା ଦଳ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଏହି ଶୋଭାଯାତ୍ରା ସହର ପରିକ୍ରମା କରି ଏସପିଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସ୍ୱର ଉତ୍ତୋଳନ କରିଥିଲା।
ଏହି ବିକ୍ଷୋଭ ପ୍ରଦର୍ଶନରେ ଅନୁଗୁଳ ଜିଲ୍ଲା ବିଜେଡି ସଭାପତି ତଥା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ପୂର୍ବତନ ଉପ-ବାଚସ୍ପତି ରଜନୀକାନ୍ତ ସିଂହ, ପୂର୍ବତନ ବିଧାୟକ ସୁଶାନ୍ତ ବେହେରା, ପୂର୍ବତନ ବିଧାୟକ ମୁକେଶ ପାଳ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନଙ୍କ ଭଳି ବହୁ ପ୍ରମୁଖ ନେତୃତ୍ୱ ସାମିଲ ହୋଇଥିଲେ। ଏଥିସହ ପୂର୍ବତନ ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆ, ସମବାୟ ବ୍ୟାଙ୍କ ସଭାପତି ସନ୍ତୋଷ ପ୍ରଧାନ ଓ ନଗରପାଳ ଅକ୍ଷୟ ସାମନ୍ତଙ୍କ ସମେତ ବିଭିନ୍ନ ବ୍ଲକ ଓ ନଗରର ସଭାପତି, କାଉନସିଲର ଓ ପଦାଧିକାରୀମାନେ ଉପସ୍ଥିତ ରହି ପ୍ରତିବାଦକୁ ସମର୍ଥନ ଜଣାଇଥିଲେ। ଯୁବ ନେତା ଅରୁଣାଭ ସିଂହ, ଜିଲ୍ଲା ଛାତ୍ର ସଭାପତି ରାଜୀବ ଲୋଚନ ଦାସ ଏବଂ ରାଜ୍ୟ ଯୁବ ସାଧାରଣ ସମ୍ପାଦକ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ସଦସ୍ୟମାନେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସୁମିତ୍ରାଙ୍କୁ ଉପଯୁକ୍ତ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଦଳୀୟ ସଂଗ୍ରାମ ଜାରି ରହିବ ବୋଲି ନେତୃବୃନ୍ଦ ଚେତାବନୀ ଦେଇଛନ୍ତି।








