ବଦଳିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଡିଜାଇନ୍‌ : ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

You are currently viewing ବଦଳିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଡିଜାଇନ୍‌ : ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

ପୁରୀ: ବଦଳିବ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ପରିକ୍ରମା ପ୍ରକଳ୍ପ ଡିଜାଇନ୍। ପୁରୁଣା ସହ କିଛି ନୂଆ ଡିଜାଇନ ପ୍ରସ୍ତୁତ କରାଯାଇ ତାହାର ରୂପରେଖ ପ୍ରସ୍ତୁତ ହେବ। ଏହା ଲୋକଙ୍କ ଧର୍ମୀୟ ଭାବନା ସହ ଜଡିତ ଥିବାରୁ ବିଚାରବିମର୍ଶ ଚାଲିଛି। ଖୁବଶୀଘ୍ର କୃତ ଯଜ୍ଞ, ଅନ୍ନ ଯଜ୍ଞ, ଜ୍ଞାନ ଯଜ୍ଞ ମଣ୍ତପ ପାଇଁ ବି ବ୍ୟବସ୍ଥା ହେବ। ଏନେଇ ଦୁଇ ତିନି ମାସ ମଧ୍ୟରେ କାମ ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

ଅନ୍ୟପକ୍ଷରେ ନୂଆବର୍ଷ ଠାରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ହେବ ନୂଆ ବ୍ୟବସ୍ଥା। ନୂଆବର୍ଷରୁ ନାଟମଣ୍ଡପରେ ନୂଆ ଦର୍ଶନ ବ୍ୟବସ୍ଥା ହେବ। ସ୍ବତନ୍ତ୍ର ୬ ପର୍ଯ୍ୟାୟ ବିଶିଷ୍ଟ ବାରିକେଡ୍ ଯୋଗେ ନୂଆବର୍ଷରୁ ଶ୍ରୀଜିଉଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ। ଶ୍ରଦ୍ଧାଳୁ ଗୋଟିଏ ପଟେ ଯିବେ ଏବଂ ଅନ୍ୟପଟେ ବାହାରିବେ । ଦିବ୍ୟାଙ୍ଗ ଓ ବୟସ୍କଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ରହିବ। ଏନେଇ ଓବିସିସି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଛି।

ଏଥିସହିତ ଆନନ୍ଦବଜାରରେ ଆହୁରି ଶୃଙ୍ଖଳା ଆସିବ। ଆନନ୍ଦବଜାରରେ ଶୃଙ୍ଖଳା ଆଣିବା ପାଇଁ ଏକ ଅନୁଧ୍ୟାନ କମିଟି ଗଠନ କରାଯାଇଛି। ତଦାରଖ ଓ ବିଶୃଙ୍ଖଳା ରୋକିବାକୁ ୨୦ ଜଣ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି। ଏମାନେ ପର୍ଯ୍ୟାୟକ୍ରମେ ୮ ଘଣ୍ଟିଆ ଡ୍ୟୁଟି କରୁଥିବା ବେଳେ ମହାପ୍ରସାଦ ବିକ୍ରି କରୁଥିବା ସୁପକାରଙ୍କ କ୍ଷେତ୍ରରେ ବି କଟକଣା ଲଗାଯାଇଛି। ଦୋକାନ ମାଲିକଙ୍କ ବ୍ୟତୀତ ଅନ୍ୟ କେହି ମହାପ୍ରସାଦ ଦୋକାନ ଚଳାଇ ପାରିବେନି ବୋଲି ବାଧ୍ୟତାମୂଳକ କରାଯାଇଛି। ଅନ୍ନ ମହାପ୍ରସାଦ ଓ ଶୁଖିଲା ମହାପ୍ରସାଦ ବିକ୍ରି କରୁଥିବା ସୁପକାରଙ୍କୁ ସହାୟତା ପାଇଁ ଜଣେ ଲେଖାଏଁ ସହାୟକ ରଖିବାକୁ ଅନୁମତି ପ୍ରଦାନ କରାଯାଇଛି ।

Share

Leave a Reply