ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ସାଇବର ଠକେଇ ଉଭୟ ପୁଲିସ ଓ ଜନସାଧାରଣଙ୍କ ଚିନ୍ତା ବଢ଼ାଇଛି । ସାନଭାଇର ଫେସ୍ବୁକ୍ ଆକାଉଣ୍ଟ ହ୍ୟାକ୍ କରି ବଡ଼ଭାଇ ପାଖରୁ ୧୦ ହଜାର ଟଙ୍କା ଲୁଟିନେବା ଭଳି ରୋଚକ ଘଟଣା ବିକ୍ରମପୁର ଥାନା ଇଲାକାରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ବିକ୍ରମପୁର ଥାନା ଇଲାକା ଭରତପୁର କଲୋନୀରେ ଏହି ଘଟଣା ନେଇ ପୁଲିସ ନିକଟରେ ଅଭିଯୋଗ ହେବା ପରେ ଏକ କେସ୍ ରୁଜୁ କରି ଛାନ୍ଭିନ୍ ଆରମ୍ଭ କରିଛି । ସୂଚନା ମୁତାବକ, ଠକେଇର ଶିକାର ହୋଇଥିବା ବ୍ୟକ୍ତି ହେଲେ ଭରତପୁର କଲୋନୀରେ ରହୁଥିବା ବିଦ୍ୟୁତ୍ କୁମାର କର(୬୦)। ଗତ ୭ ତାରିଖ ରାତି ପ୍ରାୟ ୧୦ଟାରେ ତାଙ୍କ ସାନ ଭାଇର ଫେସବୁକ୍ ମେସେଞ୍ଜରରୁ ଏକ ମେସେଜ୍ ଆସିଥିଲା ।ମେଡିକାଲରେ ଅଛି, ଟଙ୍କା ଆବଶ୍ୟକ ରହିଛି ବୋଲି କହିବା ସହ ଏକ ଗୁଗୁଲ ପେ’ ନମ୍ବର ଦେଇ ୧୦ ହଜାର ଟଙ୍କା ପଠାଇବାକୁ ଠକ ଅନୁରୋଧ କରିଥିଲା । ଗୁଗୁଲ୍ ପେ’ ନମ୍ବରଟି ତାଙ୍କ ସାନ ଭାଇର ହୋଇନଥିବା ବେଳେ ଠକ ସେହି ନମ୍ବରଟି ସାଙ୍ଗର ବୋଲି କହିଥିଲା । ସାନଭାଇ ମେଡ଼ିକାଲରେ ଅଛି ବୋଲି ଠକ କଥାକୁ ବିଶ୍ବାସ କରି ଶ୍ରୀ କର ଉକ୍ତ ନମ୍ବରକୁ ୧୦ ହଜାର ଟଙ୍କା ପଠାଇଥିଲେ । ମାତ୍ର ପରେ ବୁଝାସୁଝା କରିବା ପରେ ସମ୍ପୃକ୍ତ ବ୍ୟକ୍ତି ତାଙ୍କ ସାନଭାଇ ନୁହଁ ବୋଲି ଶ୍ରୀ କର ଜାଣିବାକୁ ପାଇଥିଲେ । ତାଙ୍କ ସାନ ଭାଇର ଫେସବୁକ୍ ଆକାଉଣ୍ଟ ହ୍ୟାକ୍ କରି କେହି ଠକ ତାଙ୍କୁ ଠକିଥିବା ଜାଣିବା ପରେ ସେ ବିକ୍ରମପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ୍ ଏ ସଂକ୍ରାନ୍ତରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।
ସାନ ଭାଇର ଫେସବୁକ୍ ହ୍ୟାକ୍ କରି…
- Post published:April 12, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik
